ହାତୀ ଆକ୍ରମଣରେ ମାଈ ବାଛୁରୀ ମୃତ : ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ବନପାଳ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ
ନୂଆଗାଁ ୧୮।୦୫(ଭଞ୍ଜଦୂତ ) : ନୟାଗଡ଼ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ମହୀପୁର ବନାଞ୍ଚଳ ମହୀତମା ଓ ଗୁମି ବନପାଳ ଅଧୀନରେ ଥିବା ଶିମିଳିସାହି ଖେଳ ପଡ଼ିଆ ନିକଟରେ କାଜୁ ବଗିଚାରେ ହାତୀ ଆକ୍ରମଣରେ ମାଈ ବାଛୁରୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ଦିନକୁ ଦିନ ହାତୀ ମାନଙ୍କ ଉପଦ୍ରବ ବଢୁଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି ।ସୂଚନା ଥାଉକି ରବିବାର ସନ୍ଧ୍ୟା ୭ ଘଟିକା ସମୟରେ ଏହି ଘଟଣା ଘଟିଥିବା ଆଜି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। ଲୋକଙ୍କ କହିବା ଅନୁଯାୟୀ ରବିବାର ସନ୍ଧ୍ୟା ପୂର୍ବରୁ କିଛି ଗାଈ ଓ ମାଈ ବାଛୁରୀ କାଜୁ ବଗିଚାରେ ଘାସ ଚରୁଥିବାର ଦେଖିଥିଲେ।ଠିକ ସନ୍ଧ୍ୟା ୫. ୩୦ ରେ ଅଚାନକ ବର୍ଷା ହୋଇଥିଲା ଯାହାଫଳରେ ଗାଈ ବାଛୁରୀ ଘରକୁ ଫେରି ନଥିଲେ ।ଯେହେତୁ ଗାଁ ନିକଟରେ କାଜୁ ବଗିଚା ସେଥି ପାଇଁ ରହି ଯାଇଥିଲେ।ସେତିକି ବେଳେ ସନ୍ଧ୍ୟା ୭ ଘଟିକା ହେବ ପାଲଭା ଜଙ୍ଗଲରୁ ଦଳେ ହାତୀ ପଲ୍ହ ଗାଁ ମୁହାଁ ହୋଇ ନିକଟରେ ଥିବା କାଜୁ ବଗିଚାରେ ପଶି ଗଛ ଭାଙ୍ଗିବା ସହ ସେଠାରେ ଥିବା ଗାଈ ଓ ବାଛୁରୀ ଙ୍କୁ ମାରିବାକୁ ଗୋଡ଼ାଇ ଥିଲେ। ଗାଈ ଟି ନିଜ ଗୁହାଳକୁ ଦୌଡିକି ଯାଇଥିବା ବେଳେ କିନ୍ତୁ ମାଈ ବାଛୁରୀକୁ ୨ ରୁ ୩ ମାସ ହୋଇଥିବାରୁ ନିଜ ମା ସାଙ୍ଗରେ ଦୌଡ଼ି କି ଯାଇ ପାରିନଥିଲା।ଫଳରେ ମାଈ ବାଛୁରୀଟି ହାତୀ ଙ୍କ ହାବୁଡ଼ରେ ପଡି ଯାଇଥିଲା ହାତୀଟି ତା ଶୁଣ୍ଢରେ ମାଈ ବାଛୁରୀର ଲାଞ୍ଜକୁ ଧରି ବୁଲେଇ ବୁଲେଇ କଚାଡି ମାରି ଦେଇଥିଲା।ସୋମବାର ସକାଳୁ କିଛି ଲୋକ କାଜୁ ଫଳ ତୋଳିବା ପାଇଁ ବଗିଚାକୁ ଯାଇଥିବା ବେଳେ ମାଈ ବାଛୁରୀ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।ଖବର ପ୍ରସାରଣ କରିବା ପାଇଁ ସ୍ଥାନୀୟ ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନି ଙ୍କୁ ଫୋନ ଯୋଗେ କହିଥିଲେ।ସାମ୍ବାଦିକ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଗୁମି ଓ ମହୀତମା ବନପାଳ ଏବଂ ନୂଆଗାଁ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ହାତୀ ଆକ୍ରମଣରେ ମାଈ ବାଛୁରୀଟି ମୃତ୍ୟୁ ହୋଇ କାଜୁ ବଗିଚାରେ ପଡ଼ିଥିବା ଜଣାଇଥିଲେ। ଖବର ପାଇ ନୂଆଗାଁ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଭାଶିଷ ମହାପାତ୍ର,ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରାଣୀ ଧନ ନିରୀକ୍ଷକ ସୁଶାନ୍ତ କୁମାର କହଁର,ଆଟେନାଣ୍ଟ ଶ୍ରୀ ଜିତେନ୍ଦ୍ର କୁମାର ବେହେରା,ପ୍ରାଣୀ ମିତ୍ର ଶ୍ରୀମତୀ ମମିତା ଜାନି ଏବଂ ଗୁମି ବନପାଳ ପବିତ୍ର ପରିଡ଼ା,ବନରକ୍ଷୀ ବିଶ୍ୱଜିତ ଦେହୁରୀ ଓ ମହୀତମା ବନପାଳ ମୀନକେତନ ନାୟକ, ଖାଲମଡ଼ା ବିଟ ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡ଼ା ସମେତ ବନ ସ୍ୱରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡିଲା ଯେ ହାତୀ ଆକ୍ରମଣରେ ବାଛୁରୀଟି ମୃତ ହୋଇଛି।ଏନେଇ ମହୀପୁର ବନାଞ୍ଚଳ ଅଧିକାରୀ ତଥା ଏସିଏଫ ଙ୍କ ଠାରୁ ମତାମତ ନେଇଥିବାରୁ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲା ପରେ ମୃତ ବାଛୁରୀ ମାଲିକ ଅନ୍ତର୍ଯ୍ୟାମୀ ମଳିକ ଙ୍କୁ ସରକାରଙ୍କ ତରଫରୁ କିଛି ଅନୁକୂମ୍ପା ରାଶି ସହାୟତା ମିଳିବ ବୋଲି ବନାଞ୍ଚଳ ଅଧିକାରୀ ତଥା ଏସିଏଫ ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି।
