ମନରେଗା କାର୍ଯ୍ୟରେ ମେସିନ୍ ବ୍ୟବହାର ଅଭିଯୋଗ, ତହସିଲଦାରଙ୍କୁ ଦାଖଲ ହେଲା ଲିଖିତ ଅଭିଯୋଗ
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ତହସିଲ ଅନ୍ତର୍ଗତ ବାଘବର ପଞ୍ଚାୟତରେ ଚାଲିଥିବା ମୋରୁମ ରାସ୍ତା ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ଓ ବେଆଇନ ମାଟି ଖନନ ହେଉଥିବା ନେଇ ତହସିଲଦାରଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଛି । ରିଆମାଳ ବ୍ଲକ ବାଘବର ଗ୍ରାମର ପିତ ଛକ ଠାରୁ କେନାସୁରୀ ଖୋଳ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ ଏହି ଅନିୟମିତତା ହେଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।
ଅଭିଯୋଗ ଅନୁଯାୟୀ, ମନରେଗା ଯୋଜନା ଅଧୀନରେ ଚାଲିଥିବା କାର୍ଯ୍ୟରେ ଯେଉଁଠି ଶ୍ରମିକ ନିୟୋଜନ କରି କାମ କରାଯିବା କଥା, ସେଠାରେ ଟ୍ରାକ୍ଟର ଓ ଜେସିବି ମେସିନ୍ ବ୍ୟବହାର କରାଯାଉଛି । ଏହାସହ ନକଲି ଶ୍ରମିକ ଦେଖାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ସରକାରୀ ଜମିରୁ ବେଆଇନ ଭାବେ ମାଟି ଖନନ କରି ଟ୍ରାକ୍ଟର ଯୋଗେ ପରିବହନ କରାଯାଉଥିବାରୁ ସ୍ଥାନୀୟ ପରିବେଶ, ରାସ୍ତା ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେଉଥିବା ଅଭିଯୋଗକାରୀ କହିଛନ୍ତି ।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ରାତି ଅଧରେ ଓ ଦିନ ସମୟରେ ନିରନ୍ତର ଭାବେ ମାଟି ପରିବହନ ହେଉଥିବାରୁ ରାସ୍ତା ନଷ୍ଟ ହେବା ସହ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି ।
ବାଘବର ଗ୍ରାମର ସ୍ୱର୍ଗତ ଇଶ୍ୱର ଚନ୍ଦ୍ର ପ୍ରଧାନଙ୍କ ପୁଅ ଯଜାତି କୁମାର ପ୍ରଧାନ ଏନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେ ଅଭିଯୋଗ କରିଛନ୍ତି ଯେ, ବିନା ଅନୁମତିରେ ବାଘବର ଗ୍ରାମର ଠିକାଦାର କଳ୍ପତରୁ ସାହୁ ଜୋରଜବରଦସ୍ତି ତାଙ୍କ ପରିବାରର ରେକର୍ଡ ଜମି ଉପରେ ରାସ୍ତା ନିର୍ମାଣ କରିବା ସହ ବାଡ଼ ଭାଙ୍ଗିଦେଇଛନ୍ତି ।
ଏହାସହ ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି । ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ଗ୍ରହଣ କରାଯିବ, ସେନେଇ ସ୍ଥାନୀୟ ଲୋକଙ୍କ ନଜର ରହିଛି ।
