ବେତନଟୀ ଡାକ୍ତରଖାନାରେ ସିରିଞ୍ଜରେ ଇଞ୍ଜେକସନ ଲୋଡ କରି ଘଣ୍ଟା ଘଣ୍ଟା ରଖା ଯାଉଛି : ରୋଗୀଙ୍କ ଜୀବନ ସହିତ ଖେଳ
ବେତନଟୀ( ନିପ୍ର ), ୧୧/୫: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତର୍ବିଭାଗରେ ରୋଗୀ ଆସିବା ପୁର୍ବରୁ ଡାକ୍ତର ପ୍ରେସ୍କ୍ରିପସନ୍ କରିବା ପୂର୍ବରୁ ଇଞ୍ଜେକସନ ସିରିଞ୍ଜରେ ଲୋଡ କରି ଘଣ୍ଟା ଘଣ୍ଟା ରଖା ଯାଉଛି। ଯାହା ଫଳରେ ଅଧିକ ସମୟ ଧରି ଇଞ୍ଜେକସନ୍ ସିରିଞ୍ଜରେ ଲୋଡହୋଇ ରହିବା ଫଳରେ ତାର ମାନ ହ୍ରାସହେବା ଯୋଗୁଁ ରୋଗୀଙ୍କ ଜୀବନ ସହିତ ଖେଳ ଖେଳାଯାଉଥିବା ଅଭିଯୋଗ ଉଠିଛି। ଏହି ପ୍ରକାର କାମ ଯୋଗୁଁ ଭୁଲ୍ ଇଞ୍ଜେକସନ୍ ଦେବାର ଆଶଙ୍କା ମଧ୍ଯ ସୃଷ୍ଟି ହେଉଛି ବୋଲି ରୋଗୀ ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବେତନଟୀ ଡାକ୍ତରଖାନାର ଅନ୍ତର୍ବିଭାଗରେ ଡ୍ୟୁଟିରତ ସେବିକାମାନେ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଅନୁଯାୟୀ ଇଞ୍ଜେକସନ୍ ଦେବା ପରିବର୍ତ୍ତେ ପୂର୍ବରୁ କେତେକ ସିରିଞ୍ଜରେ ଇଞ୍ଜେକସନ୍ ଲୋଡ୍ କରି ରଖୁଥିବା ଦେଖିବାକୁ ମିଳୁଛି ପ୍ରାୟ ୪ ରୁ ୫ ପ୍ରକାରର ଇଞ୍ଜେକସନ୍ ଏହିପରି ପ୍ରସ୍ତୁତ କରି ରଖାଯାଉଥିବା ଦେଖା ଯାଇଛି। ଅଧିକାଂଶ ଇଞ୍ଜେକସନର ରଙ୍ଗ ସମାନ ହୋଇଥିବାରୁ ଭୁଲ୍ ହେବାର ଆଶଙ୍କା ରହିଛି। ସିରିଞ୍ଜରେ ଲୋଡ୍ ହେବା ପରେ କେଉଁ ଔଷଧ ସେହି ସିରିଞ୍ଜରେ ରହିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼େ ନାହିଁ କେବଳ ଖୋଳ ଓ ବୋତଲର ଲେବଲ୍ ଉପରେ ନିର୍ଭର କରାଯାଉଛି। ଯଦି କୌଣସି ଭୁଲ୍ ବଶତଃ ସିରିଞ୍ଜ ମିଶିଯାଏ ତେବେ ରୋଗୀଙ୍କ ଜୀବନ ବିପଦରେ ପଡିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଏହା ବ୍ୟତୀତ ଡାକ୍ତରଖାନାର ସୁଇପର ମାନେ ରୋଗୀଙ୍କ ସାଲାଇନ ଖୋଲିବା ଓ ଦେବା କାର୍ଯ୍ୟ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ରୋଗୀ ନଆସିଲେ ପୂର୍ବରୁ ଲୋଡ କରାଯାଇଥିବା ଇଞ୍ଜେକସନ ଫିଙ୍ଗି ଦିଆଯାଉଛି ବା ନଷ୍ଟ ହେଉଛି ବୋଲି କୁହାଯାଉଛି। ଏହି କାମ କେବଳ ସମୟ ସଞ୍ଚୟ ପାଇଁ କରାଯାଉଥିବା କଥା କିଛି ଡାକ୍ତରଖାନା କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କିଛି ଦିନ ପୂର୍ବରୁ ଗୋଟିଏ ଘଟଣା ସମ୍ପର୍କରେ ରୋଗୀଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଜଣେ ରୋଗୀ ଏସିଡିଟୀ ହୋଇ ଥିବା ଯୋଗୁଁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଙ୍କ ପ୍ରେସ୍କ୍ରିପସନ ଅନୁଯାୟୀ ଇଞ୍ଜେକସନ ନେଇ ଘରକୁ ଫେରିଥିଲେ, କିନ୍ତୁ ଘରେ ପହଞ୍ଚୁ ପହଞ୍ଚୁ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ପୁଣି ସେ ଡାକ୍ତରଖାନା ଫେରିଆସି ଥିଲେ। ଓ ପୁନର୍ବାର ଡାକ୍ତର ଙ୍କୁ ଦେଖାଇ ଥିଲେ ଡାକ୍ତର ନିଜ ଉପସ୍ଥିତି ରେ ଆଉ ଥରେ ତାଙ୍କୁ ଏସିଡିଟୀ ପାଇଁ ଇଞ୍ଜେକସନ ଦେଲେ ତାପରେ ଯାଇ ସେ ଠିକ ହୋଇଥିଲେ। ଠିକ ସେହି ଭଳି ଜଣେ ରୋଗୀ ଚିକିତ୍ସା ପାଇଁ ଆସିଥିଲେ ଡାକ୍ତର ତାଙ୍କୁ ଚିକିତ୍ସା କରି ପ୍ରେସ୍କ୍ରିପସନ କରି ଦେଲେ ଓ ସେ ସେବିକା କକ୍ଷକୁ ଯାଇ ଉକ୍ତ ପ୍ରେସ୍କ୍ରିପସନ ଦେଖାଇ ଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ହେଲଥ ୱର୍କର ତାଙ୍କୁ ଇଞ୍ଜେକସନ ଦେବା ପାଇଁ ଗୋଟିଏ ଇଞ୍ଜେକସନ ବୋତଲ ନେଇ ଆସିଲେ ଶିରିଞ୍ଚ ରେ ଲୋଡ କରିବା ସମୟରେ ରୋଗୀ ସହିତ ଆସିଥିବା ତାଙ୍କ ଘରଲୋକ ତାକୁ ବିରୋଧ କରିଥିଲେ ଓ କହିଲି ଏହା ଆମ ଓଷଧ ନୁହେଁ ପୂର୍ବରୁ ଦିଆଯାଇଥିବା ଔଷଧ ବୋତଲ୍ ଆମେ ଚିହ୍ନଟ କରି ରଖିଛୁ। ତୁମେ ଭୁଲ ଇଞ୍ଜେକସନ ଦେଉଛ ଆମେ ନେବୁ ନାହିଁ ବୋଲି ରୋଗୀ ପରିବାର ଅଭିଯୋଗ କରିଥିଲେ। ତାପରେ ଯାଇ ସେବିକାଙ୍କ ହସ୍ତକ୍ଷେପରେ ଠିକ୍ ଔଷଧ ଦିଆଯାଇଥିଲା ବୋଲି ଜଣାପଡ଼ିଛି।
ଏବାବଦରେ ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ସିପୁନ ପଣ୍ଡା ଙ୍କୁ ପଚାରିବାରୁ ସେ କୁହନ୍ତି ସେମିତି ଓଷଧ ଲୋଡ କରି ରଖିବା କଥା ନୁହଁ। ତାହା ଭୁଲ ଆମେ ଏ ବାବଦରେ ଇନୁକାରି କରିବୁ।
ଏହି ପ୍ରକାର ଅନିୟମିତତା ସଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରୋଗୀଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାମାନେ। ସରକାରୀ ଡାକ୍ତରଖାନାରେ ମୌଳିକ ସେବା ନିଶ୍ଚିତ କରିବା ସହ ରୋଗୀ ସୁରକ୍ଷା ପାଇଁ କଡ଼ା ନିର୍ଦେଶିକା ଲାଗୁ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।
