ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଶୀତଳ ଭଣ୍ଡାର ନାହିଁ: ଚାଷୀଙ୍କ ପରିଶ୍ରମ ପଚି ସଢ଼ୁଛି, ଖାଉଟି ଅଧିକ ଦରରେ ପନିପରିବା କିଣୁଛନ୍ତି
ବେତନଟୀ (ନିପ୍ର ) ୧୦/୫: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତନଟୀ ଓ ବଡ଼ସାହି ବ୍ଲକର ନଦୀକୂଳ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପନିପରିବା ସଂରକ୍ଷଣ ପାଇଁ ଗୋଟିଏ ବି ଶୀତଳ ଭଣ୍ଡାର ନିର୍ମାଣ ହୋଇନାହିଁ। ବୁଢ଼ାବଳଙ୍ଗ ଓ ଗଙ୍ଗାହାର ଅବବାହିକା ଅଞ୍ଚଳରେ ବାଇଗଣ, ଭେଣ୍ଡି, ବିଲାତି, ଜହ୍ନି, କୁନ୍ଦୁରୀ, ପୋଟଳ, କଲରା, ସଲରା, ଆଦି ପନି ପରିବା ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବା ସତ୍ତ୍ୱେ ସଂରକ୍ଷଣ ସୁବିଧା ନଥିବାରୁ ଋତୁ ଅନୁଯାୟୀ ଅଧିକ ଉତ୍ପାଦନ ସମୟରେ ବଳକା ପନିପରିବା ପଚି ନଷ୍ଟ ହୋଇଯାଉଛି। ଚାଷୀମାନେ ଅଧିକ ଖର୍ଚ୍ଚ କରି ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ନେଇ ଚାଷ କରୁଥିବା ସମୟରେ ଏହି କ୍ଷତି ସେମାନଙ୍କୁ ଚାଷ ପ୍ରତି ନିରୁତ୍ସାହିତ କରୁଛି।
ସ୍ଥାନୀୟ ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, ଗୋଟିଏ ସରକାର ପରେ ଆଉ ଗୋଟିଏ ସରକାର ଆସୁଛି କିନ୍ତୁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ କୌଣସି ଆନ୍ତରିକତା ଦେଖାଯାଉନାହିଁ। ବଡସାହି ନିର୍ଵାଚନ ମଣ୍ଡଳି ଅଞ୍ଚଳରେ ଯଦି ଶୀତଳ ଭଣ୍ଡାର ତିଆରି ହୋଇଥାନ୍ତା ତେବେ ଜିଲ୍ଲା ଭିତରେ ଓ ବାହାରକୁ ପଠାଇବା ପରେ ବଳକା ପନିପରିବା ସୁରକ୍ଷିତ ରଖାଯାଇ ପାରିଥାନ୍ତା। ଏହା ନହେବାରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି। କାଳିଆ ଓ ବଳିଆ ଯୋଜନାର ଲାଭ ନେଇ କୃଷି ଶ୍ରମିକମାନେ କ୍ଷେତରେ କାମ କରିବା ପରିବର୍ତ୍ତେ ଅନ୍ୟତ୍ର ସମୟ ବିତାଉଛନ୍ତି, ଯାହା ଫଳରେ ପନି ପରିବା ଉତ୍ପାଦନ ହ୍ରାସ ପାଉଛି। ଫଳସ୍ୱରୂପ ବଜାରରେ ସବୁଜ ପନିପରିବା ଦର ଅସ୍ଥିର ହେଉଛି ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକ ଅଧିକ ମୂଲ୍ୟ ଦେଇ ପନିପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ନହେଲେ ବାସି ଚାଲାଣି ପନିପରିବା କିଣି ନିଜ ପରିବାରର ଆବଶ୍ୟକତା ପୁରଣ କରୁଛନ୍ତି। ଚାଷୀମାନେ କହୁଛନ୍ତି, “ଧାନ ଚାଷ ପାଇଁ ସରକାର ଏଫଏକ୍ୟୁ ଧାନ ୩୧୦୦ ଟଙ୍କାରେ କିଣିବେ ବୋଲି ଘୋଷଣା କରି ଉତ୍ସାହିତ କରୁଛନ୍ତି, କିନ୍ତୁ ପନିପରିବା ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ।
ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ସହିତ ଯୋଗାଯୋଗ କରାଯିବାରୁ ଅଧିକାରୀମାନେ କହିଛନ୍ତି ଯେ, ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଉପରେ ବିଚାର ଚାଲିଛି ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନା ଅନ୍ତର୍ଗତ ଅର୍ଥ ଉପଲବ୍ଧ ହେବା ପରେ କାର୍ଯ୍ୟ ଆରମ୍ଭ ହୋଇପାରେ। ତଥାପି କୌଣସି ନିର୍ଦିଷ୍ଟ ସମୟସୀମା ବା ପ୍ରକଳ୍ପ ସ୍ଥାନ ବିଷୟରେ ସ୍ପଷ୍ଟ ଉତ୍ତର ମିଳିନାହିଁ। ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଏହି ଦାବି ବାରମ୍ବାର କରାଯାଇଥିବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ତାର କିଛି ସୁଫଳ ଦୃଶ୍ୟମାନ ହେଉନାହିଁ କିମ୍ୱା ଭବିଷ୍ୟତ ପାଇଁ କିଛି ପଦକ୍ଷେପ ନିଆଯାଇଥିବା ଦେଖାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।
ବର୍ତ୍ତମାନ ବେତନଟୀ ବ୍ଲକରେ ପନିପରିବା ଉତ୍ପାଦନ ହ୍ରାସ ପାଇବା ସହ ବଜାରରେ ଦର ଅସ୍ଥିର ରହିଛି। ଚାଷୀମାନେ ନୂଆ ସରକାର ଠାରୁ ଆଶା ରଖିଛନ୍ତି ଯେ, ଶୀତଳ ଭଣ୍ଡାର ନିର୍ମାଣ ସହ ପନିପରିବା ବଜାର ତିଆରି ପାଇଁ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ। ଯେପରି ଧାନ ଚାଷରେ ଆଗ୍ରହ ବଢ଼ିଛି, ସେହିପରି ପନିପରିବା ଚାଷରେ ମଧ୍ୟ ଚାଷୀଙ୍କୁ ଉତ୍ସାହିତ କରିବାକୁ ହେବ। ନହେଲେ ନଦୀକୂଳ ଅଞ୍ଚଳର ଉର୍ବର ଜମି ଏବଂ ଚାଷୀଙ୍କ ପରିଶ୍ରମ ଦୁଇଟି ଯାକହିଁ ନଷ୍ଟ ହୋଇଯିବ।
