ଯାଜପୁର ବିଜେପି ରାଜନୀତିରେ ନୂଆ ସମୀକରଣ!
ଗୌତମଙ୍କ ଉପରୁ ତୁଟୁଛି କି ଭରସା, ସଂଗ୍ରାମଙ୍କୁ ମିଳୁଛି କି ରାଜ୍ୟ ନେତୃତ୍ୱଙ୍କର ଆଶୀର୍ବାଦ?
ସଂଗ୍ରାମ କେଶରୀ ପାତ୍ରଙ୍କ ବିଶାଳ ଶକ୍ତି ପ୍ରଦର୍ଶନ ପରେ ଯାଜପୁର ରାଜନୀତିରେ ଏବେ ଜୋର ଧରିଛି ନୂଆ ଚର୍ଚ୍ଚା। ବିଜେପିର ବିଜୟ ଉତ୍ସବ ଅବସରରେ ସହରରେ ହୋଇଥିବା ଭବ୍ୟ ବାଇକ୍ ରାଲି ପରେ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି — ଯାଜପୁରରେ କି ବଦଳୁଛି ବିଜେପି ସମୀକରଣ ?ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସଫଳତା ପରେ ଯାଜପୁର ସହରରେ ଆୟୋଜିତ ହୋଇଥିବା ଏହି ବିଜୟ ଉତ୍ସବର ସମ୍ପୂର୍ଣ୍ଣ ଦାୟିତ୍ୱ ସଂଗ୍ରାମଙ୍କୁ ଦିଆଯାଇଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଉ ସେହି ଦାୟିତ୍ୱକୁ ସଫଳତାର ସହ ତୁଲାଇ ହଜାର ହଜାର କର୍ମୀଙ୍କୁ ରାସ୍ତାକୁ ଆଣି ସଂଗ୍ରାମ ନିଜ ସଂଗଠନ ଦକ୍ଷତାର ପରିଚୟ ଦେଇଛନ୍ତି।
ଏନ୍.ସି କଲେଜ ନିକଟରୁ ଆରମ୍ଭ ହୋଇଥିବା ଏହି ରାଲି ମେଡିକାଲ ଛକ, ଗାନ୍ଧି ଛକ, ବଡ଼ବଜାର, ଗରିଆପୁର ଓ ଯୋଡ଼ିକୁଅ ଦେଇ କୁସୁମା ପର୍ଯ୍ୟନ୍ତ ଯାଇଥିଲା। ଦଳୀୟ ପତାକା, ଶତାଧିକ ବାଇକ୍ ଓ “ଭାରତ ମାତା କୀ ଜୟ” ନାରାରେ ସମଗ୍ର ସହର କମ୍ପିଉଠିଥିଲା। ଦଳ ପକ୍ଷରୁ ୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ଦାବି କରାଯାଇଛି। ଏହି ରାଲିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ଉପସଭାପତି ସୁଶାନ୍ତ ସାହୁ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅବିନାଶ ନାୟକଙ୍କ ସହ ବହୁ ନେତୃତ୍ୱ ଉପସ୍ଥିତ ଥିଲେ। କିନ୍ତୁ ସମଗ୍ର କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଥିଲେ ସଂଗ୍ରାମ ପାତ୍ର।ଏହାପରେ ଏବେ ଚା ଖଟିଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ଜୋର ଧରିଛି — ଯାଜପୁରରେ କି ଧୀରେ ଧୀରେ ସଂଗ୍ରାମଙ୍କୁ ଆଗକୁ ଆଣୁଛି ଦଳ ? ଗୌତମଙ୍କ ଉପରୁ କି ତୁଟୁଛି ଭରସା ?
ରାଜନୈତିକ ବିଶ୍ଳେଷକଙ୍କ କହିବା କଥା, କୌଣସି ଦଳ ଯେତେବେଳେ ବଡ଼ କାର୍ଯ୍ୟକ୍ରମର ଦାୟିତ୍ୱ ଜଣେ ଯୁବ ନେତାଙ୍କୁ ଦେଇଥାଏ, ସେଥିରେ ଭବିଷ୍ୟତର ସଙ୍କେତ ଲୁଚିଥାଏ। ଯାଜପୁରରେ ସଂଗ୍ରାମଙ୍କ ବଢ଼ୁଥିବା ପ୍ରଭାବ ଏବଂ ଯୁବମାନଙ୍କ ମଧ୍ୟରେ ତାଙ୍କ ଗ୍ରହଣଯୋଗ୍ୟତା ଏବେ ରାଜ୍ୟ ନେତୃତ୍ୱର ନଜରକୁ ଆସିଥିବା ଚର୍ଚ୍ଚା ହେଉଛି।ରାଲିକୁ ସମ୍ବୋଧିତ କରି ସଂଗ୍ରାମ ପାତ୍ର କହିଥିଲେ ଯେ, ଦେଶର ବିଭିନ୍ନ ରାଜ୍ୟରେ ବିଜେପିକୁ ମିଳୁଥିବା ସମର୍ଥନ ଜାତୀୟତାବାଦୀ ଚିନ୍ତାଧାରା ଓ ବିକାଶମୂଳକ ରାଜନୀତି ପ୍ରତି ଲୋକଙ୍କ ବିଶ୍ୱାସର ପ୍ରତିଫଳନ। ସେ ଯାଜପୁରରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଶକ୍ତିଶାଳୀ ପ୍ରଦର୍ଶନର ଦାବି ମଧ୍ୟ କରିଥିଲେ।ତେବେ ଏହି ଶକ୍ତି ପ୍ରଦର୍ଶନ ପରେ ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ —
“ଯାଜପୁରରେ ଏଥର ଗୌତମ ଆଉଟ, ସଂଗ୍ରାମ ଇନ୍ ?”ଯାଜପୁର ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
