*ନୂଆପଡ଼ାରେ ମାଟ୍ରିକ ପରୀକ୍ଷା କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା।*
ନୂଆପଡ଼ା( ମିଖାଏଲ ନନ୍ଦ)
, ୦୫/୦୫
ନୂଆପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୬ ରେ ଏ-୧ ଓ ଏ-୨ ଗ୍ରେଡ୍ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ସଭାପତିତ୍ୟରେ ଆୟୋଜିତ ଏହି ସଭାରେ ନୂଆପଡ଼ା ମାନ୍ୟବର ବିଧାୟକ ଜୟ ଭାଇ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ ସିଂ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡର ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଓ ଡ଼ଃ ରେଶମଲାଲ ନାଏକ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆପଡ଼ା ଶାଖାର ଜେନେରାଲ ମ୍ୟାନେଜର ଲିଙ୍କନ ଦାଶ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଆରକ୍ଷୀ ଅଧିକ୍ଷକ ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରହି ଲକ୍ଷ୍ୟ ହାସଲ ପାଇଁ ପୁସ୍ତକ ପାଠନର ଗୁରୁତ୍ୱ ବିଷୟରେ ଉପଦେଶ ଦେଇଥିଲେ। ଉପଜିଲ୍ଲାପାଳ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖି ସେଗୁଡିକୁ ପୂରଣ କରିବାକୁ ଆହ୍ୱାନ ଦେଇଥିଲେ। ବିଧାୟକ ଜୟ ଭାଇ ଢୋଲକିଆ ସଂଘର୍ଷମୟ ଜୀବନରେ ହାର ନମାନି ଆଗକୁ ବଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ସେ ଜିଲ୍ଲାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୩୧ ହଜାର, ୨୧ ହଜାର ଓ ୧୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।ଜିଲ୍ଲାପାଳ ମଧୂସୁଦନ ଦାସ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଜୀବନରେ ସରଳ ମଣିଷ ହେବା ସବୁଠୁ କଠିନ ବୋଲି କହିଥିଲେ ଏବଂ ନୂଆପଡ଼ା ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଶୀର୍ଷସ୍ଥାନରେ ପହଞ୍ଚାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଉଲ୍ଲେଖନୀୟ ଯେ, ନୂଆପଡ଼ା ଜିଲ୍ଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା–୨୦୨୬ ରେ ୯୭.୮୭ ପ୍ରତିଶତ ପାସ୍ହାର ସହ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ଏଥିରେ ୧୩ ଜଣ ଏ-୧ ଓ ୨୨୬ ଜଣ ଏ-୨ ଗ୍ରେଡ୍ ପାଇ ସଫଳତାର ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଫଳକ, ଉପହାର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲା।ପ୍ରକାଶ ଥାଉକି, ନୂଆପଡ଼ା ଜିଲ୍ଲା ୨୦୨୪ ମାଟ୍ରିକ ପରୀକ୍ଷାରେ ୩୦ତମ ସ୍ଥାନରୁ ୨୦୨୫ ରେ ୧୪ତମ ସ୍ଥାନକୁ ଏବଂ ୨୦୨୬ ରେ ଷଷ୍ଠ ସ୍ଥାନକୁ ଉନ୍ନତ ହୋଇଛି। ଏହି ସଫଳତା ପଛରେ ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଚାଲିଥିବା “ସମ୍ଭାବନା କାର୍ଯ୍ୟକ୍ରମ” ର ମୁଖ୍ୟ ଭୂମିକା ରହିଛି।ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷକ ଗୋରାଙ୍ଗ ସାହୁ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ୍ ସ୍ତରର ସମସ୍ତ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟଣରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ସାଧନ କର୍ମୀ, ସଂଯୋଜକ, ଗୋଷ୍ଠୀ ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ନୂଆପଡ଼ାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
