ଯୁବ ପିଢୀଙ୍କ ପାଇଁ ପହଁରିବା ଓ ଜଳଦୁର୍ଘଟନାରେ ବଞ୍ଚିବାର ମୌଳିକ କୌଶଳ ତାଲିମ ଆରମ୍ଭ
ଦେବଗଡ଼, (୪ ମଇ): ଯୁବ ପିଢୀଙ୍କୁ ପହଁରିବା ସହ ଜଳଦୁର୍ଘଟନା ସମୟରେ ନିଜକୁ ଓ ଅନ୍ୟମାନଙ୍କୁ କିପରି ବଞ୍ଚାଇବା, ସେଥିପାଇଁ ଆବଶ୍ୟକ ମୌଳିକ କୌଶଳ ଶିଖାଇବା ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଶନି ମନ୍ଦିର ନିକଟସ୍ଥ ପୁଷ୍କରିଣୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଶୁଭ ଉଦଘାଟନ କରିଥିଲେ।
ଏହି ଅବସରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂହ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ।
ଅତିଥିମାନେ ନିଜ ଉଦ୍ବୋଧନରେ ବିପର୍ଯ୍ୟୟ ସମୟରେ ତୁରନ୍ତ ଓ ସଠିକ୍ ପଦକ୍ଷେପ ଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଓ ଏପରି ପ୍ରଶିକ୍ଷଣ ଯୁବମାନଙ୍କ ପାଇଁ କିପରି ଜୀବନରକ୍ଷାକାରୀ ହୋଇପାରେ, ସେଥି ସମ୍ପର୍କରେ ଜଣାଇଥିଲେ।
ଏହି ପ୍ରଶିକ୍ଷଣ ଶିବିର ୪ ମଇ ୨୦୨୬ ରୁ ୯ ମଇ ୨୦୨୬ ପର୍ଯ୍ୟନ୍ତ ପ୍ରଥମ ବ୍ୟାଚ ପାଇଁ ଆୟୋଜିତ ହେବ। ଓଡ୍ରାଫ୍ (ODRAF) ଦଳର ପ୍ରଶିକ୍ଷକମାନଙ୍କ ମାର୍ଗଦର୍ଶନରେ ମୋଟ ୩୦ ଜଣ ଅଂଶଗ୍ରାହୀଙ୍କୁ ପହଁରିବା ଓ ଜଳଦୁର୍ଘଟନାରେ ଉଦ୍ଧାର ସମ୍ପର୍କିତ ମୌଳିକ କୌଶଳ ଶିଖାଯିବ।
ଏହି ଶିବିରରେ ଦେବଗଡ଼ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି।
କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ପୋଲିସ ବିଭାଗ ଓ ଓଡ୍ରାଫ୍ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ।
