*ନୂଆପଡାରେ ଜଳ ଓ ପରିମଳ ମିଶନର ୧୭ତମ ବୈଠକ: ଜଳ ସଂକଟ ନିବାରଣ ପାଇଁ ପ୍ରତିକାରମୂଳକ ପଦକ୍ଷେପ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବ* ।
ନୂଆପଡା(ମିଖାଏଲ ନନ୍ଦ)
ତା. ୨୯/୦୪:
ନୂଆପଡା ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନ (DWSM)ର ୧୭ତମ ବୈଠକ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।
ବୈଠକରେ ଜିଲ୍ଲାପାଳ ଜଳ ସଂକଟ ପ୍ରବଣ ଅଞ୍ଚଳଗୁଡିକରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ ପ୍ରତି ଗୁରୁତ୍ୱ ଦେଇଥିଲେ। ମନରେଗା (MGNREGS) ଯୋଜନା ଅଧୀନରେ ଜଳାଶୟ ସୃଷ୍ଟି ସହିତ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଜଳ ସଂକଟ ଦୂରୀକରଣ ପାଇଁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। RWSS ବିଭାଗ ଦ୍ୱାରା ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବିଷୟରେ ମଧ୍ୟ ସେ ଅବଗତ ହୋଇଥିଲେ।“ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା” ଅଭିଯାନ ଅଧୀନରେ ୦୫.୦୬.୨୦୨୫ ଠାରୁ ଏପର୍ଯ୍ୟନ୍ତ ୨୩୮ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଥିବା ବେଳେ ୩୬୬୪ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯାଇଛି। ଏଥିପାଇଁ ମୋଟ ୩,୮୩,୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।’ବର୍ତନ ବ୍ୟାଙ୍କ’ ଅଭିଯାନ ଅଧୀନରେ ପାଞ୍ଚଟି ବ୍ଲକ୍ ଓ ତିନୋଟି ଏନଏସିରେ ୧୭୭ଗୋଟି ଲକ୍ଷ୍ୟ ଥିଲାବେଳେ ୧୬୪ଟି ବର୍ତନ ବ୍ୟାଙ୍କ ସ୍ଥାପନ କରାଯାଇଛି। ସେହିପରି, ୫୩ଟି ପ୍ଲାଷ୍ଟିକ୍ ସଂଗ୍ରହ ଓ ବିଭାଜନ ଶେଡ୍ ସ୍ଥାପିତ ହୋଇଥିବା ବେଳେ ୩୧ଟି ର କାମ ଜାରି ରହିଛି।ଜିଲ୍ଲାପାଳ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରି ଅବଶିଷ୍ଟ ଲକ୍ଷ୍ୟଗୁଡିକୁ ଶୀଘ୍ର ସମାପ୍ତ କରି ଶତ ପ୍ରତିଶତ ସଫଳତା ହାସଲ ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା, ସମସ୍ତ ବିଡିଓମାନେ, ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ସହିତ ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
