ବେତନଟୀ ବିଡ଼ିଓଙ୍କ ନିଲମ୍ବନ ଆଦେଶକୁ ନେଇ ପ୍ରଶ୍ନବାଚୀ
ବେତନଟୀ ୨୭/୪ : ବେତନଟୀର କାର୍ଯ୍ୟରତ ବିଡ଼ିଓ ସୁଶାନ୍ତ କୁମାର ସୁତାର ଙ୍କୁ ରାଜ୍ୟ ସରକାର ଗତ ଏପ୍ରିଲ ୧୫ତାରିଖ ରେ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଥିବାର ଏକ ଚିଠି ସୋସିଆଲ ମେଡ଼ିଆରେ ଆସିଥିବାର ଗତ ରବିବାର ଦିନ ଦେଖିବାକୁ ମିଳିଥିଲା। ସୋମବାର ଦିନ ବିଡ଼ିଓ ବ୍ଲକ କାର୍ଯ୍ୟାଳୟ କୁ ଆସିନଥିବା ବେଳେ ବ୍ଲକର ଅବସ୍ଥାପିତ ଅଧସ୍ତନ କର୍ମଚାରୀ ବିଡିଓ ଙ୍କ ସସ୍ପେଣ୍ଡ ଖବର ବିଷୟରେ କିଛି ଜାଣିନଥିବାର ସୂଚନା ପ୍ରଦାନ କରିଥିଲେ। ଏଭଳିକି ବ୍ଲକର ଅଫିସିଆଲ ମେଲ ରେ ମଧ୍ୟ ସସ୍ପେଣ୍ଡ ଅର୍ଡର ର ଚିଠି କିଛି ଆସିନାହିଁ କହିଥିବା ବେଳେ ବିଡିଓଙ୍କୁ ମଧ୍ୟ ଏହି ଚିଠି ଦିଆଯାଇନାହିଁ ବୋଲି କର୍ମଚାରୀ ମାନେ ବିଡିଓ ଙ୍କୁ ପଚାରି କହିଥିଲେ। ଏହି ଚିଠିର ସତ୍ୟତା କୁ ନେଇ ବେତନଟୀ ଅଞ୍ଚଳରେ ଏକ ପ୍ରଶ୍ନ ଉଠିଥିଲା। ବେତନଟୀ ବିଡିଓ ୨୦୨୫ଜାନୁଆରୀ ମାସରେ ବେତନଟୀ ବିଡିଓ ଭାବେ ଯୋଗଦାନ କରିଥିଲେ। ଏଠାରେ ଯୋଗଦାନ ପୂର୍ବରୁ ସେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତହସିଲଦାର ଓ ଭାରପ୍ରାପ୍ତ ସବଟ୍ରେଜେରି ଦାୟିତ୍ୱ ତୁଲାଉଥିଲେ। ସେଠାରେ ସବଟ୍ରେଜେରି ଦାୟିତ୍ୱ ତୁଲାଉ ଥିବା ବେଳେ କୌଣସି ଏକ ବିଶୃଙ୍ଖଳାକୁ ନେଇ ରାଜ୍ୟ ସରକାର ତାଙ୍କୁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଭାବେ ବେତନଟୀ ବିଡିଓ ପଦରୁ ନିଲମ୍ବିତ କରିଥିବାର ଚିଠିରେ ସୂଚନା ରହିଛି। ଏହି ଆଦେଶ ବଳବତ୍ତର ରହିବା ସମୟରେ ଚାନ୍ଦବାଲି ର ମୁଖ୍ୟାଳୟ ରାଜସ୍ବ ବିଭାଗର କମିଶନର ( ଆର ଡି ସି ) ବରହମପୁରରେ ରହିବେ। ଆର ଡି ସି ର ବିନା ଅନୁମତି ରେ ମୁଖ୍ୟାଳୟ ଛାଡ଼ିବେ ନାହିଁ ବୋଲି ଉଲ୍ଲେଖ ରହିଛି। ଏହି ଚିଠି ଓଡିଶା ସରକାର ଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ଅଫିସ ଆଦେଶ ସଂଖ୍ୟା ୧୫୭୫୬ ରହିଛି। ଏହି ଚିଠିର ନକଲ ମେମ ନମ୍ବର ୧୫୭୫୭ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ ପ୍ରଦାନ ହୋଇଛି। ଅନ୍ୟ ଏକ ନକଲ ଚାନ୍ଦବାଲି ର ପୂର୍ବତନ ସବ ଟ୍ରେଜେରି କାର୍ଯ୍ୟାଳୟ ଓ ବେତନଟୀ ବିଡିଓ ସୁଶାନ୍ତ କୁମାର ସୁତାର ଙ୍କୁ ପ୍ରଦାନ ପାଇଁ ଆଦେଶ ହୋଇଅଛି। ସେହିଭଳି ମେମ ନମ୍ବର ୧୫୭୫୮ରେ ରାଜ୍ୟ ସରକାର ଙ୍କର ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ କୁ ପ୍ରଦାନ କରାଯାଇଛି। ଏହି ଖବର ସତ୍ୟତା ଜାଣିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲାପରିଷଦର ସି ଡି ଓ, ସହକାରୀ ଜିଲ୍ଲାପାଳ ଙ୍କୁ ଫୋନ କରିଥିଲେ ମଧ୍ୟ ଉତ୍ତର ମିଳିନଥିଲା। ଜିଲ୍ଲା ଜରୁରୀ ବିଭାଗର ବିଶ୍ୱରଞ୍ଜନ ବିଶ୍ୱାସ ଙ୍କୁ ପଚାରିବାରୁ ସେ ଏବିଷୟରେ ଜାଣିନଥିବା କଥା କହିଥିବା ବେଳେ ଚିଠିରେ ବାର କୋଡ଼ ନଥିବା କଥା କହିଥିଲେ। ସେହି ଭଳି ରାଜ୍ୟସରକାର ଙ୍କ ରାଜସ୍ବ ବିଭାଗର ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ଏହି ଚିଠିର ସତ୍ୟତା ରହିଛି ଏହାର କପି ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି ବୋଲି କହିଥିଲେ। ବେତନଟୀ ବ୍ଲକର ଜୈନିକ କର୍ମଚାରୀ ଆସନ୍ତାକାଲି ମଙ୍ଗଳବାର ଦିନ ସସ୍ପେଣ୍ଡ ଲେଟର ବ୍ଲକକୁ ଆସିବ ବୋଲି ସୂଚନା ପ୍ରଦାନ କରିଥିଲେ।
