ପୂର୍ବ ଶତ୍ରୁତାରୁ ମହାଭାରତ!! ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।
ଗଜପତି (ଟିକି ଲିମା)
ପୂର୍ବ ଶତ୍ରୁତାକୁ ନେଇ ପଥର ମାଡ଼ ମାରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ମୋହନାର ଜେ.ଏମ୍.ଏଫ.ସି. ବିକାଶ କିରଣ ମିଶ୍ର ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨) (ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମର ଗୋବିନ୍ଦ ବିନ୍ଧାଣି (୪୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏ.ପି.ପି. ସୁଶାନ୍ତ କୁମାର ମଲ୍ଲିକ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମର ଏତଲାକାରି କୈଳାସ ବିନ୍ଧାଣି ତା ୧୭-୦୭-୨୦୨୫ରିଖ ଦିନ ଦ୍ବିପହର ସମୟରେ ନିଜର ଭାଲିଆ ପଦରରେ କାମ କରୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ କୈଳାଶଙ୍କ ଆଡ଼କୁ ଏକ ପଥର ଫିଙ୍ଗିଥିଲେ। ପଥର ମାଡ଼ ଯୋଗୁଁ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ ଏବଂ ତା’ପରେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ବସି ମାରପିଟ କରିଥିଲେ। ସେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ, ଅଭିଯୁକ୍ତ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ। ଏହା ପରେ ସେ ନିଜ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ ବିରିକୋଟ ସରକାରୀ ଡାକ୍ତରଖାନାରୁ ମୋହନା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ, ସେ ଅଡ଼ବା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ, ଯାହା ଆଧାରରେ ୧୮.୦୭.୨୦୨୫ ତାରିଖରେ ୭୮ ନମ୍ବର ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ ଏଏସ୍ଆଇ ଦିବାକର ବେହେରାଙ୍କ ଦ୍ୱାରା କରାଯାଇଥିଲା। ଶେଷରେ ୭ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨)ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେବା ସହ ସମାଜରେ ଉତ୍ତମ ନାଗରିକ ହୋଇ ରହିବାକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି।
