ଅକ୍ଷୟ ତୃତୀୟାରେ ଦୁଇ ଯୁବ ପ୍ରଶାସକଙ୍କ ବିବାହ, ପ୍ରଶାସନିକ ମହଳରେ ଆନନ୍ଦ ମହଳ
ବାଲେଶ୍ୱର,(ଅମରଦୀପ, ଭଞ୍ଜଦୂତ, ନିପ୍ର) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦୁଇ ଯୁବ ପ୍ରଶାସନିକ ଅଧିକାରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ପ୍ରଶାସନିକ ଓ ସାମାଜିକ ମହଳରେ ଚର୍ଚ୍ଚାର ବିଷୟ ହୋଇପାରିଛି। ବାଲେଶ୍ୱରର ଉପଜିଲ୍ଲାପାଳ ଶିବ ମାଲବ୍ୟ ଓ ମୟୂରଭଞ୍ଜର ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଏହି ଶୁଭ ଦିନରେ ପରସ୍ପରଙ୍କ ହାତ ଧରି ଦାମ୍ପତ୍ୟ ଜୀବନରେ ପ୍ରବେଶ କରିଛନ୍ତି।ସୂଚନାଯୋଗ୍ୟ, ଉଭୟ ଅଧିକାରୀ ୨୦୨୨ ବ୍ୟାଚର ଏବଂ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଓ ପ୍ରତିବଦ୍ଧତା ପାଇଁ ପରିଚିତ। ଶିବ ମାଲବ୍ୟଙ୍କ ଘର ମଧ୍ୟପ୍ରଦେଶରେ ଥିବାବେଳେ କସ୍ତୁରୀ ପଣ୍ଡାଙ୍କ ଘର ଭୁବନେଶ୍ୱରରେ। ଦୁହେଁ ବର୍ତ୍ତମାନ କ୍ରମଶଃ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ସେମାନଙ୍କର କାର୍ଯ୍ୟଶୈଳୀ ପ୍ରଶଂସା ଲାଭ କରିଛି। ଅକ୍ଷୟ ତୃତୀୟା ଭଳି ଶୁଭ ମୁହୂର୍ତ୍ତରେ ବିବାହ ଅନୁଷ୍ଠିତ ହେବାରୁ ଏହାକୁ ଅଧିକ ଶୁଭ ମନାଯାଉଛି। ପରିବାର ଓ ନିକଟତମ ଆତ୍ମୀୟଙ୍କ ଉପସ୍ଥିତିରେ ସରଳ କିନ୍ତୁ ଗମ୍ଭୀର ପରିବେଶରେ ବିବାହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ସହକର୍ମୀ ଓ ସାମାଜିକ ସଂଗଠନ ପକ୍ଷରୁ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ବନ୍ୟା ବହିଛି। ସମସ୍ତେ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ଓ ସଫଳ ହେବାକୁ କାମନା କରିଛନ୍ତି।
