ବାଲେଶ୍ବରରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” :
ବାଲେଶ୍ୱର, ୨୧/୦୪/୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା “ସ୍ପିଡ”, ସୋରୋ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଆଜି ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କ ଠାରେ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବଦମ୍ପତି ମାନଙ୍କୁ ଆଶୀର୍ବାଦ କରିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି ଙ୍କ ସହ କାର୍ଯ୍ୟକାରୀ ସଂସ୍ଥା “ସ୍ପିଡ୍” ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ସମାଜ ସେବୀ ଶ୍ରୀମତୀ ଗୋପାମୁଦ୍ରା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଯୋଜନା ଅନୁସାରେ ଝିଅଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ପୁଅଙ୍କ ବୟସ ୨୧ ରୁ ୩୫ ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ ୫୬ ଜଣ ବର–କନ୍ୟା ଯୋଡ଼ି ଆଜିର କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥି ମଧ୍ୟରୁ ୫୩ ଯୋଡି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ ୩ ଯୋଡି ମୁସଲିମ ସମ୍ପ୍ରଦାୟର ଥିଲେ ।
ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟ କ୍ରମାକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ
