ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ପ୍ରଧାନପାଟରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଗମ୍ଭୀର ଭାବରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ଓ ପୌରପରିଷଦଙ୍କ ସଂଯୁକ୍ତ ପ୍ରୟାସରେ ଏହି କାର୍ଯ୍ୟକ୍ରମରେ ପ୍ରଧାନପାଟର ପ୍ରମୁଖ ପାଟେଶ୍ୱରୀ ମନ୍ଦିର ସହ ଅନ୍ୟାନ୍ୟ ଐତିହ୍ୟ ସ୍ଥଳୀଗୁଡ଼ିକୁ ସଫା-ସୁଥା ଓ ସୁନ୍ଦର କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବରୋଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଦିଲୀପ କୁମାର ପ୍ରଧାନ ଓ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଉପସ୍ଥିତ ରହି ସ୍ୱଚ୍ଛତାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।
ଏହା ସହିତ ୱାର୍ଡ ନଂ ୯ କାଉଁସିଲର ସରୋଜିନୀ ମୁଣ୍ଡା, ୱାର୍ଡ ନଂ ୧୦ କାଉଁସିଲର ଇତିଶ୍ରୀ ମିଶ୍ର, ୱାର୍ଡ ନଂ ୧୧ କାଉଁସିଲର କାର୍ତ୍ତିକ ମହାକୁଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ଉପ-ନିବନ୍ଧକ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
ଏହି ସ୍ୱଚ୍ଛତା ଅଭିଯାନରେ ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟ, ଏକଲବ୍ୟ ଓ ଅନ୍ୱେଷା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହଭାଗୀ ହୋଇ ସ୍ୱଚ୍ଛତା ପ୍ରତି ସଚେତନତାର ଦୃଢ଼ ସନ୍ଦେଶ ପ୍ରସାର କରିଥିଲେ। ପୌରପରିଷଦର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା।
ଏହି ପ୍ରୟାସ ମାଧ୍ୟମରେ ପ୍ରଧାନପାଟ ଭଳି ଐତିହ୍ୟ ସ୍ଥଳୀଗୁଡ଼ିକୁ ସଫା-ସୁଥା ରଖିବା ସହିତ ସେଗୁଡ଼ିକର ସୁରକ୍ଷା ଓ ପର୍ଯ୍ୟଟନ ଉନ୍ନତି ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆହୁରି ଶକ୍ତିଶାଳୀ କରାଯାଇଛି।
