ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼, ତା. ୨୧.୦୩.୨୦୨୬:
ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସ୍ୱୟଂ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଓ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଯଥାଚିତ ପଦକ୍ଷେପ ନେବାକୁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଯାରି କରିଥିଲେ।
ଏହି ଶିବିରରେ ମୋଟ ୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାରୁ ୧୪ଟି ବ୍ୟକ୍ତିଗତ ଓ ୪ଟି ସାମୁହିକ ଅଭିଯୋଗ ଥିଲା। ଜମିର ପଟ୍ଟା ସଂଶୋଧନ, ପାନୀୟ ଜଳ ସମସ୍ୟା, ଶିକ୍ଷକ ବଦଳି, ରାସ୍ତାଘାଟ ଉନ୍ନତିକରଣ ଇତ୍ୟାଦି ପ୍ରମୁଖ ବିଷୟରେ ଲୋକମାନେ ଅଭିଯୋଗ ଉଠାଇଥିଲେ। ଜିଲ୍ଲାପାଳ ଏହି ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଗ୍ରହଣ କରି ଶୀଘ୍ର ସମାଧାନ ପାଇଁ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଓ ପ୍ରାଥମିକତା ଭିତ୍ତିରେ ନିଷ୍ପତ୍ତି ନେବାକୁ କହିଥିଲେ।
ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସିଏଫ୍ ଅରୁଣ ବେହେରା, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ବାରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ରବିନ୍ଦ୍ର ସାମଲ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପ୍ରକାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ସମସ୍ୟା ସରକାରୀ ମଞ୍ଚରେ ସିଧାସଳଖ ଉପସ୍ଥାପନ ହେବା ସହିତ ତାହାର ଶୀଘ୍ର ସମାଧାନ ହେବାରେ ସହାୟକ ହେଉଛି, ଯାହା ଜନସେବା ପ୍ରତି ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।
