ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ ଉତ୍ସବ ସଫଳ ଭାବେ ଆୟୋଜିତ
ଦେବଗଡ଼, ତା ୨୧.୦୪.୨୦୨୬:
ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଇଣ୍ଡୋର ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ସାମୁହିକ ବିବାହ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟ ୩୮ ଜଣ ଦମ୍ପତି (୭୬ ଜଣ ବର ଓ କନ୍ୟା) ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଜିଲ୍ଲାର ତିନୋଟି ବ୍ଲକ୍ରୁ ଯୋଗ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ-ଯୁବତୀମାନେ ଏହି ସାମୁହିକ ବିବାହରେ ଅଂଶଗ୍ରହଣ କରିଥିଲେ। ବାରକୋଟ ବ୍ଲକ୍ରୁ ୧୧ ଯୋଡ଼ି, ତିଲେଇବଣି ବ୍ଲକ୍ରୁ ୧୯ ଯୋଡ଼ି ଓ ରିଆମାଳ ବ୍ଲକ୍ରୁ ୮ ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଓଡ଼ିଆ ରୀତି-ନୀତି ଅନୁଯାୟୀ ୩୪ଟି ହିନ୍ଦୁ ଦମ୍ପତିଙ୍କ ବିବାହ ଚନ୍ଦନନଗର, ସମ୍ବଲପୁରର ଶ୍ରୀ ବ୍ରହ୍ମ ମଣ୍ଡପର ପଣ୍ଡିତମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହାସହିତ ୪ଟି ଖ୍ରୀଷ୍ଟିୟାନ୍ ଦମ୍ପତିଙ୍କ ବିବାହ ଚର୍ଚ୍ଚର ଫାଦରଙ୍କ ଦ୍ୱାରା ଖ୍ରୀଷ୍ଟିୟାନ୍ ପ୍ରଥା ଅନୁସାରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଉପସ୍ଥିତ ଥିଲେ। ସେମାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।
ଅତିଥିମାନେ ନବଦମ୍ପତିମାନଙ୍କୁ ବିବାହ ପଞ୍ଜିକରଣ ପତ୍ର ସହିତ ପ୍ରତି ଯୋଡ଼ିଙ୍କୁ ୪୫,୦୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ସେମାନେ ନବଦମ୍ପତିଙ୍କ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ ମଧ୍ୟ ଦେଇଥିଲେ।
ଏହି ଅବସରରେ ଅତିଥି, ବନ୍ଧୁ-ପରିଜନ ଓ ସାଧାରଣ ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୁଚାରୁ ଭାବେ ସଂଯୋଜନା କରିଥିଲେ।
ଏହି ସାମୁହିକ ବିବାହ ଉତ୍ସବ ଦ୍ୱାରା ଆର୍ଥିକ ଦୁର୍ବଳ ପରିବାରମାନେ ବହୁତ ଲାଭାନ୍ୱିତ ହୋଇଥିବା ସହିତ ସମାଜରେ ସମ୍ମିଳିତ ମୂଲ୍ୟବୋଧ ଓ ସହଯୋଗୀତାର ଉଦାହରଣ ସୃଷ୍ଟି ହୋଇଛି
