*ନୂଆପଡ଼ାରେ ସିଏମ୍ ଟ୍ରଫି–୨୦୨୬ ଜିଲ୍ଲାସ୍ତରୀୟ ବାଳକ ଓ ବାଳିକା ଖୋ-ଖୋ ପ୍ରତିଯୋଗିତା ଉଦଯାପିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୫/୦୪/୨୦୨୬:
ନୂଆପଡା ଜିଲ୍ଲାରେ ଆୟୋଜିତ ସିଏମ୍ ଟ୍ରଫି–୨୦୨୬ ଅନ୍ତର୍ଗତ ୧୪ ବର୍ଷରୁ କମ ବୟସର ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି।ସକାଳ ୭ଟା ସମୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖୋ-ଖୋ ପ୍ରାଙ୍ଗଣରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଥିଲା। ବାଳକ ବିଭାଗରେ ୪ଟି ଦଳ ଓ ବାଳିକା ବିଭାଗରେ ୨ଟି ଦଳ ଅଂଶଗ୍ରହଣ କରି ଚୁଡ଼ାନ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଗତକାଲି ଏହି ପ୍ରତିଯୋଗିତାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। “ପ୍ରତିଭା ଅନେକ, ଲକ୍ଷ୍ୟ ଏକ—ପଡ଼ିଆରୁ ପୋଡିଅମ୍” ଏହି ମନ୍ତ୍ରକୁ ପଥେୟ କରି ରାଜ୍ୟରେ ଆରମ୍ଭ ହୋଇଥିବା ସିଏମ୍ ଟ୍ରଫି ମାଧ୍ୟମରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅନେକ ଯୁବ କ୍ରୀଡ଼ାଳୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି। ଏହି ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ନାମ ପଞ୍ଜୀକରଣ କରି ଅଂଶଗ୍ରହଣ କରିଥିଲେ।ଅଭିଜ୍ଞ କ୍ରୀଡ଼ା ଶିକ୍ଷକ ଓ ବିଚାରକମାନଙ୍କ ନିର୍ଦ୍ଦେଶନାୟ ସମସ୍ତ ଖେଳ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ନିଜ ଅଭିଭାଷଣରେ କହିଥିଲେ ଯେ, ଏପରି ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲାରୁ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ଦକ୍ଷ ଖେଳାଳୀ ତିଆରି ହେବେ।ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ଜିଲ୍ଲା କ୍ରିକେଟ୍ ଓ ଫୁଟବଲ୍ ଆସୋସିଏସନର ସମ୍ପାଦକ ସରୋଜ କୁମାର ସାହୁ ଖେଳାଳୀ, ଆୟୋଜକ ଓ ପରିଚାଳକମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଜିଲ୍ଲାର କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା ବ୍ୟକ୍ତ କରିଥିଲେ।
ଫଳାଫଳ ଅନୁସାରେ, ବାଳିକା ବିଭାଗରେ ନେସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଦଳ ଚାମ୍ପିୟନ୍ ହୋଇଥିବାବେଳେ ବାଞ୍ଜିବାହଳ ଖୋ-ଖୋ କ୍ଲବ୍ ରନର୍ସ-ଅପ୍ ହୋଇଛି। ସେହିପରି ବାଳକ ବିଭାଗରେ ସିନାପାଳି ବ୍ଲକର ନୀଳଜୀ ଖୋ-ଖୋ ଦଳ ଚାମ୍ପିୟନ୍ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ମଗୁରପାଣି ଦଳ ରନର୍ସ-ଅପ୍ ହୋଇଛି।
ଏହି ପ୍ରତିଯୋଗିତାରୁ ବଛାଯାଇଥିବା ଖେଳାଳୀମାନଙ୍କୁ ନେଇ ଜିଲ୍ଲା ଦଳ ଗଠନ କରାଯାଇ ଆଗାମୀ ଜୋନାଲ୍ ସିଏମ୍ ଟ୍ରଫି ପାଇଁ ପ୍ରେରଣ କରାଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସୂଚନା ଦେଇଛନ୍ତି।
ଖେଳ ପରିଚାଳନାରେ ମହତାବ ଆଡ଼ପୁଆଡ, ମୋହନ କୁମାର ମହାନ୍ତ, ଭରତ ପ୍ରଧାନ, ସରୋଜ କୁମାର ପ୍ରଧାନ, ଖେମରାଜ ଦେବଙ୍ଗନ, ହିମାଂଶୁ ଶେଖର ମହାନ୍ତ, ରାକେଶ କୁମାର ଦଳେଇ, ଶୋଭାରାମ ଭାରତ, ଶ୍ରୀମତୀ ନିରୁପମା ପଟେଲ, ଅଂଶୁମାନ ପଣା, ଦେବାଶିଷ ଆଚାର୍ଯ୍ୟ, ଉତ୍ତମ ମାଝି, ଟଙ୍କଧର ନାୟକ, ଭଗବତ ରାଉତ, ଯୋଗେଶ୍ୱର ରଣା, କୃଷ୍ଣଶ୍ୟାମ ଶବର, କୁମାରୀ ରିଙ୍କି ବଣ୍ଡସେନା ଓ ମଦନ କୁମାର ଦଣ୍ଡସେନା ମୁଖ୍ୟ ଭୂମିକା ନେଇଥିଲେ।
ଉଦଯାପନୀ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାରା ଚାମ୍ପିୟନ୍ ଓ ରନର୍ସ-ଅପ୍ ଦଳମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ।
ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମସ୍ତ ଅତିଥି, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷକ-ଶିକ୍ଷୟତ୍ରୀ ଓ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
