ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ବେତନଟୀରେ ଜନସଚେତନତା ଅଭିଯାନ।
ବେତନଟୀ, ୧୫/୪ : ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ବେତନଟୀରେ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସାଧାରଣ ଲୋକମାନଙ୍କୁ ଅଗ୍ନିକାଣ୍ଡ ସମୟରେ ସଚେତନ ଓ ସୁରକ୍ଷିତ ରହିବାର ପଦ୍ଧତି ସମ୍ପର୍କରେ ସଜାଗ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ବେତନଟୀ ଅଗ୍ନିଶମ ବାହିନୀ ପକ୍ଷରୁ ସୁସଜ୍ଜିତ ଦମକଳ ଗାଡି ସହରର ମୁଖ୍ୟ ବଜାର ଅଞ୍ଚଳରେ ପରିକ୍ରମା କରିଥିଲା। ଏହା ମାଧ୍ୟମରେ ଅଗ୍ନିକାଣ୍ଡ ଘଟିଲେ କିପରି ତୁରନ୍ତ ସଚେତନତା ସହ ନିଜ ଓ ଅନ୍ୟମାନଙ୍କର ଜୀବନ ଓ ସମ୍ପତ୍ତିକୁ ସୁରକ୍ଷିତ କରିହେବ, ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା।
ବେତନଟୀ ଦମକଳ କେନ୍ଦ୍ର ଅଧିକାରୀ ସତ୍ୟବାଦୀ ପଲେଇଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା। ସେ କହିଥିଲେ ଯେ, ଆକସ୍ମିକ ଅଗ୍ନିକାଣ୍ଡ ସମୟରେ ଉପସ୍ଥିତ ବୁଦ୍ଧି, ସତର୍କତା ଏବଂ ହାତପାହାନ୍ତାରେ ଥିବା ସାଧାରଣ ସାମଗ୍ରୀର ସଠିକ୍ ବ୍ୟବହାର ଦ୍ୱାରା ବଡ଼ ବିପଦକୁ ରୋକାଯାଇପାରେ।
ଏହା ସହିତ ଆଗାମୀ ଦିନରେ ସ୍କୁଲ, କଲେଜ ଓ ବ୍ୟବସାୟିକ ସଂସ୍ଥାମାନଙ୍କରେ ସାମୂହିକ ଭାବେ ଅଗ୍ନିଶମ ସୁରକ୍ଷା ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।
ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିବା ସହ ଏହା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ହ୍ରାସ ପାଇଁ ଫଳଦାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
