ଓଡ଼ିଶା ବୋର୍ଡ ଅଫ୍ ରେଭିନ୍ୟୁ ମୁଖ୍ୟଙ୍କ ବେତନଟୀ ତହସିଲ ଗସ୍ତ, ରାଜସ୍ୱ କାର୍ଯ୍ୟର ସମୀକ୍ଷା
ବେତନଟୀ, ୧୪/୪: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ବୋର୍ଡ ଅଫ୍ ରେଭିନ୍ୟୁର ମୁଖ୍ୟ ଏବଂ ବରିଷ୍ଠ ଆଇଏଏସ ଅଧିକାରୀ ସତ୍ୟବ୍ରତ ସାହୁ ସୋମବାର ଅପରାହ୍ନରେ ବେତନଟୀ ତହସିଲ ଗସ୍ତ କରି ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଗସ୍ତ ସମୟରେ ସେ ପ୍ରଥମେ ବେତନଟୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ନିଜାରତ, ତଉଜି, ଦାଖଲ-ଖାରଜ, ଜମି କିସମ ପରିବର୍ତ୍ତନ, ନାମଜାରି ଓ ମ୍ୟୁଟେସନ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ କାର୍ଯ୍ୟର ଅଗ୍ରଗତି ଓ ପ୍ରଚଳିତ ପ୍ରଣାଳୀକୁ ତଦାରଖ କରିଥିଲେ। ଏହା ସହିତ ସେ କାର୍ଯ୍ୟର ଦ୍ରୁତ ନିଷ୍ପତ୍ତି, ପାରଦର୍ଶିତା ଓ ଜନସେବାକୁ ଗୁରୁତ୍ଵସହ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନୁସଚିବ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା, ଅତିରିକ୍ତ ତହସିଲଦାର ଇଶ୍ୱରଚନ୍ଦ୍ର ରଣା ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସତ୍ୟବ୍ରତ ସାହୁଙ୍କ ଏହି ଗସ୍ତ ମାଧ୍ୟମରେ ତହସିଲ ସ୍ତରରେ ରାଜସ୍ୱ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିବା କୁହଯାଉଛି।
