ଦେବଗଡ଼ ଜିଲ୍ଲାରେ ବିଜୁ ମହିଳା ଜନତା ଦଳର ଜିଲ୍ଲା କମିଟି ଗଠନ
ଦେବଗଡ଼: ଦେବଗଡ଼ ଜିଲ୍ଲାର ଲାଲୁ ସାହି ସ୍ଥିତ ବିଜେଡି ଭବନରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲା କମିଟି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ବିଧାୟକ ରମାଞ୍ଚରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସଭାନେତ୍ରୀ ଅରୁଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଫଳ ଭାବେ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୋଟ ୫୦ ଜଣ ସଦସ୍ୟାଙ୍କୁ ଚୟନ କରାଯାଇ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ସୁପ୍ରିମୋ ଓ ରାଜ୍ୟ ସଭାପତି ଶ୍ରୀ ନବୀନ ପଟନାୟକଙ୍କୁ ପୁଣିଥରେ ଶାସନକୁ ଆଣିବା ପାଇଁ ସଭ୍ୟମାନେ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ। ଏହା ସହିତ ଜିଲ୍ଲା ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମରେ ସଭାନେତ୍ରୀ ସୁଷମା ବେହେରା, ପୌର ସଭାନେତ୍ରୀ ଭୁବନେଶ୍ୱରୀ ସାହୁ, ଅନିତା ପାତ୍ର, ବାରକୋଟ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ପାର୍ବତୀ ସାହୁ, ସୁଜାତା ପ୍ରଧାନ, ଅନିତା ପ୍ରଧାନ ସହ ଅନ୍ୟାନ୍ୟ ବିଶିଷ୍ଟ ନେତ୍ରୀମାନେ ଉପସ୍ଥିତ ରହିଥିଲେ। ଏହା ସହିତ ବହୁ ସଂଖ୍ୟକ ବିଜେଡି ସଦସ୍ୟାମାନଙ୍କ ସକ୍ରିୟ ଯୋଗଦାନରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
