ଦେବଗଡ଼ ଜିଲ୍ଲାରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ
ଦେବଗଡ଼: ଆଜି ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଧୀନସ୍ଥ କଲା ଗ୍ରାମରେ କିଛି ସମୟ ପାଇଁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ସୂଚନା ଅନୁଯାୟୀ, ମୃତ କାଞ୍ଜୁ ନାଏକଙ୍କ ପରିବାରଲୋକ କଲା ଦୁର୍ଗା ମନ୍ଦିର ପାଖରେ ଏହି ଅବରୋଧ କରିଥିଲେ।
କିଛି ବର୍ଷ ପୂର୍ବରୁ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ତାଙ୍କର ଜମି ଓ ଘରବାଡ଼ି ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେହି ଜମିର ମୁଆବଜା ରାଶି ମିଳିନଥିବାରୁ ପରିବାରଲୋକ ବାରମ୍ବାର ବାରକୋଟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ।
ଏହି ଅସନ୍ତୋଷର ପରିଣାମରେ, ଆଜି ସେମାନେ ରାସ୍ତା ଅବରୋଧ କରିଥିଲେ। ପରେ ଖବର ପାଇ ବାରକୋଟ ଥାନା ପୋଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ଥଳକୁ ପହଞ୍ଚି ପରିବାରଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଶୀଘ୍ର ମୁଆବଜା ଦେବା ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅବରୋଧ ଉଠିଥିଲା।
ଦେବଗଡ଼ରୁ ଜିଲ୍ଲା ପ୍ରତିନିଧି ସୁରେଶ କର, ଭଞ୍ଜୀଦୂତ ଖବର କାଗଜ।
