ଆମ ପୋଷାକ ଆମ ପରିଚୟ ଅଭିଯାନ ଉପଲକ୍ଷେ IIHT ବରଗଡ଼ରେ ଫ୍ୟାସନ୍ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ
ବରଗଡ଼:୦୩.୦୪.(ନି, ପ୍ର )ଓଡ଼ିଆ ପକ୍ଷର ତୃତୀୟ ଦିବସ ଅବସରରେ ବରଗଡ଼ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି (IIHT) ରେ “ଆମ ପୋଷାକ ଆମ ପରିଚୟ” ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ ସହ ଏକ ଆକର୍ଷଣୀୟ ଫ୍ୟାସନ୍ ଶୋ ଏବଂ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଏହି କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବୟନ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏବଂ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ, ପଦମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀ ଓ ବରିଷ୍ଠ ଅଧ୍ୟାପକ (ଟେକ୍ସଟାଇଲ) ଦେବେନ୍ଦ୍ର କୁମାର ଯାଦବ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଆଇ.ଆଇ. ଏଚ୍.ଟିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୁଣାଯାଇଥିବା ପାରମ୍ପରିକ ଓ ସମ୍ବଲପୁରୀ ପୋଷାକମାନଙ୍କର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା, ଯାହାକୁ ଶ୍ରୀମତୀ ସାହୁ ଉଦଘାଟନ କରିଥିଲେ। ପରବର୍ତ୍ତୀତ, ଫ୍ୟାସନ୍ ଶୋରେ ଛାତ୍ରଛାତ୍ରୀମାନେ ନିଜସ୍ୱ ଭଙ୍ଗୀ ଓ ପ୍ରତିଭାର ମାଧ୍ୟମରେ ଓଡ଼ିଶାର ବୟନ ଶିଳ୍ପର ସ୍ୱତନ୍ତ୍ର ପରିଚୟକୁ ସୁନ୍ଦର ଭାବରେ ପ୍ରକାଶ କରିଥିଲେ।
ଏହି ଅବସରରେ ଶ୍ରୀମତୀ ସାହୁ କହିଥିଲେ ଯେ, “ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ପାରମ୍ପରିକ ପୋଷାକ ପ୍ରତି ଲୋକମାନଙ୍କର ଆକର୍ଷଣ ବଢ଼ାଇବା, ନୂତନ ପିଢ଼ୀକୁ ନିଜ ସଂସ୍କୃତି ସହିତ ଯୋଡ଼ିବା ଓ ଦୈନିକ ଜୀବନରେ ଏହାକୁ ଅନୁସରଣ କରିବାକୁ ପ୍ରେରିତ କରିବା। ସେହିପରି ସ୍ଥାନୀୟ ପୋଷାକ ଓ ପରମ୍ପରା ପ୍ରତି ଗର୍ବବୋଧ ସୃଷ୍ଟି କରିବା ମଧ୍ୟ ଏହାର ଉଦ୍ଦେଶ୍ୟ।”
ବୟନ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏବଂ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ କହିଥିଲେ ଯେ ଓଡ଼ିଶାର ବୟନଶିଳ୍ପ ଆମର ଗର୍ବ କରିବାର ବିଷୟ। ଏହି ଶିଳ୍ପ କୌଣସି ଯନ୍ତ୍ରରେ ନୁହେଁ ବରଂ ବୁଣାକାରର ହସ୍ତକୌଶଳରେ ଚାଲିଥାଏ ଓ ଏହା ଉତ୍କୃଷ୍ଟମାନର।
ସମଗ୍ର କାର୍ୟକ୍ରମଟି ଓଡ଼ିଆ ପାରମ୍ପରିକତା ଓ ହସ୍ତଶିଳ୍ପର ସୁନ୍ଦର ପ୍ରଚାର ଏବଂ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା।
