ମଞ୍ଜୁଷା ଓଡ଼ିଆ ପାଠାଗାର ତରଫରୁ ଓଡ଼ିଶା ଦିବସ ପାଳିତ
ମଞ୍ଜୁଷା (ଆନ୍ଧ୍ର ପ୍ରଦେଶ), ତା. ୦୧/୦୪ :
ଆନ୍ଧ୍ର ଅଧ୍ୟୁଷିତ ଓଡ଼ିଶାର ବିଛିନ୍ନାଞ୍ଚଳ ମଞ୍ଜୁଷା ସ୍ଥିତ ଓଡ଼ିଆ ଯୁବକ ପାଠାଗାର ତରଫରୁ ପାଠାଗାର ପରିସରରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାର ସଭାପତି ଦୂର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅବସ୍ଥା ଚକ୍ରରେ ଆମେ ବିଛିନ୍ନାଞ୍ଚଳବାସୀ ଆମର ମୂଳ ଭୂଖଣ୍ଡ ଠାରୁ ଅଲଗା ହୋଇ ଆନ୍ଦ୍ର ପ୍ରଦେଶର ପରିଚୟରେ ପରିଚିତ ହେଉଥିଲେ ହେଁ ଆମ ଜାତୀୟତାକୁ ଆମେ ଭୁଲି ନାହୁଁ, ବରଂ ଓଡ଼ିଆ ହିସାବରେ ଆମେ ନିଜକୁ ଗର୍ବିତ ଅନୁଭବ କରିଥାଉ ବୋଲି ଉପସ୍ଥିତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଉଦବୋଧନ ଦେଇଥିଲେ। ଆମ ବିଶ୍ୱ ବିଦିତ ପୁଷ୍କଳ ଓ ଉଦାର ଜାତୀୟ ଚରିତ୍ର ଘେନି ଆମେ ନିଜକୁ ଧନ୍ୟ ମନେକରୁ ଏବଂ ଏହାର ସୁରକ୍ଷା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ ସୂଚନା ଦେଇଥିଲେ। ପାଠାଗାର ଉପସଭାପତି ରାଧାକୃଷ୍ଣ ପଟ୍ଟନାୟକ, ସୀମାଞ୍ଚଳ ପତି, ପ୍ରଦୋଷ ତ୍ରିପାଠୀ, ପରିଚାଳକ ପରମେଶ୍ଵର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦିବସର ଇତିବୃତ୍ତ ସମ୍ପର୍କରେ ଆଲୋକପାତ ସହ ଓଡ଼ିଆଙ୍କ ମହନୀୟ ଚରିତ୍ରର ଅବତାରଣା କରିଥିଲେ। ପାଠାଗାର ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର-ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ନାଲ୍ଲା ନୀଳକଣ୍ଠଙ୍କ ସଂଯୋଜନା କ୍ରମେ ପାରଳାଖେମୁଣ୍ଡି ସମଲେଇ ଡାନ୍ସ ଗ୍ରୁପ ଶିଳ୍ପୀଙ୍କ ସମେତ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା। ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନିରଞ୍ଜନ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପଠାଗାରର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ। ଏହି ଉତ୍ସବ ମାଧ୍ୟମରେ ବିଛିନ୍ନାଞ୍ଚଳ ଓଡ଼ିଆ ଭାଇ ଭଉଣୀ ମାନେ ଜାତୀୟ ସ୍ରୋତରେ ଅବଗାହିତ ହୋଇଥିବା ପରିଦୃଷ୍ଟ।
