ଭଞ୍ଜନଗର ଡାକ୍ତର ଖାନା ରେ ରୋଗୀମାନଙ୍କ ପ୍ରତି ଡାକ୍ତର ଙ୍କ ଦୁଃବ୍ୟବହାର ।
ଭଞ୍ଜନଗର -୧୪/୦୩(ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ କାର୍ଯ୍ୟରତ ଡାକ୍ତର ରୋଗୀଙ୍କ ସମ୍ପର୍କୀୟ ଓ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ରୋଗୀ ଓ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତି ଙ୍କ କହିବା ଅନୁସାରେ ମହିଳା ଡାକ୍ତର ଜଣକ ମଦ୍ୟପାନ କରିଥିଲେ।ଭଞ୍ଜନଗର ଡାକ୍ତରଖାନା ର ସମସ୍ୟା ର ଅନ୍ତ ନାହିଁ,କେତେବେଳେ ଭୁଲ ରକ୍ତ ପରୀକ୍ଷା, କେତେବେଳେ ସଠିକ ଚିକିତ୍ସା ନ କରିବା,କେତେବେଳେ ସୁରକ୍ଷା କର୍ମୀଙ୍କ ଆକ୍ରମଣ, କେତେବେଳେ ଡାକ୍ତର ଙ୍କ ଦୁର୍ବ୍ୟବହାର।ଏସବୁ ମଧ୍ୟରେ ଭଞ୍ଜନଗର ଡାକ୍ତରଖାନା ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହୁନାହିଁ।ଜଣେ ମହିଳା ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ସହ ବ୍ୟବହାର ଉପରେ ରୋଗୀ ଓ ସଂପର୍କୀୟ ଙ୍କ କ୍ରୋଧ ସୀମା ବାହାରେ।
ସୂଚନାଯୋଗ୍ୟ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଗୁରୁତର ପୁଅକୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ପୁଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର (Refer) କରିବା ଜରୁରୀ ଥିଲା। ଏହି ସମୟରେ ପରାମର୍ଶ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିବା ବୃଦ୍ଧ ବାପାଙ୍କୁ ଡାକ୍ତର ଜଣକ ହଠାତ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବୃଦ୍ଧା ସ୍ତ୍ରୀ ମଧ୍ୟ ମାଡ଼ର ଶିକାର ହୋଇଥିଲେ।ସାମ୍ବାଦିକ ମାନେ ଯେତେବେଳେ ଆକ୍ରମଣ ଶିକାର ହୋଇଥିବା ମହିଳା ଙ୍କୁ ପଚାରିଥିଲେ ସେମାନେ କହିଥିଲେ ଯେ ଡାକ୍ତରାଣୀ ଜଣକ ଚପଲ ରେ ବୃଦ୍ଧ ବୃଦ୍ଧା ଙ୍କ ମାଡ ମାରିଥିଲେ।
ଏହାସତ୍ତ୍ୱେ ଡାକ୍ତର ଜଣଙ୍କ ଓଲଟା ପୋଲିସକୁ ଫୋନ କରି ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଅସଦ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ପୋଲିସ ଆସି ବୃଦ୍ଧ ବାପାଙ୍କୁ ଥାନାକୁ ଉଠାଇ ନେଇଥିବା ବେଳେ, ବାହାରେ ଆମ୍ବୁଲାନ୍ସରେ ଗୁରୁତର ପୁଅ ଜୀବନ ସହ ସଂଗ୍ରାମ କରୁଥିଲା। ପରେ ମାନବିକତା ଦୃଷ୍ଟିରୁ ପୋଲିସ ବୃଦ୍ଧଙ୍କୁ ଛାଡ଼ିବା ପରେ ପରିବାର ଲୋକେ ପୁଅକୁ ଧରି ବ୍ରହ୍ମପୁର ଯାଇଥିଲେ।
ଏହି ଘଟଣା ପରେ ଭେଜିପୁଟର ଜଣେ ଦିବ୍ୟାଙ୍ଗ ମହିଳା ଚିକିତ୍ସିତ ହେବାକୁ ଯାଇଥିଲେ। ସେ ଫୋନ୍ରେ କଥା ହେଉଥିବା ବେଳେ ଉକ୍ତ ଡାକ୍ତର ରାଗିଯାଇ ତାଙ୍କୁ ଏବଂ ତାଙ୍କ ଭାଣିଜୀଙ୍କୁ ମାରପିଟ କରିଥିଲେ। ଆକ୍ରମଣ ଏତେ ଜୋରଦାର ଥିଲା ଯେ ଭାଣିଜୀଙ୍କ କାନରୁ ସୁନା ରିଙ୍ଗ ଛିଣ୍ଡି କେଉଁଆଡ଼େ ପଡ଼ିଯାଇଥିଲା। ଏନେଇ ଦିବ୍ୟାଙ୍ଗ ମହିଳା ଥାନାରେ ଏତଲା ଦେଇଛନ୍ତି।ଏମିତିକି ମହିଳା ଡାକ୍ତର ଜଣକ ଏହି ଖବର ସଂଗ୍ରହ କରିବା ସମୟରେ କାର୍ଯ୍ୟରତ କିଛି ସମ୍ବାଦିକ ଙ୍କୁ ମଧ୍ୟ ପୋଲିସ ରେ କେଶ କରିବା ପାଇଁ ଧମକ ଦେଇଥିଲେ।
ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ଜୀବନାନନ୍ଦ ଜେନା ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଜେ ତଦନ୍ତ କରୁଛନ୍ତି। ଡାକ୍ତର ମଧ୍ୟ ପାଲଟା ଅଭିଯୋଗ କରିଥିବାରୁ, ପୋଲିସ ମେଡିକାଲର ସିସିଟିଭି (CCTV) ଫୁଟେଜ ଯାଞ୍ଚ କରୁଛି। ସିସିଟିଭି ଆଧାରରେ ହିଁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସେବା ଦେବାକୁ ଥିବା ଡାକ୍ତରଙ୍କ ଏଭଳି ଆଚରଣକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।ତେଣୁ ଯେଉଁଠି ଡାକ୍ତର ରୋଗୀ ର ମାନସିକତା ଚିନ୍ହି ପାରୁନି ଓ ମଦ୍ୟପାନ କରି ଚିକିତ୍ସା କରୁଛି ସେଠାରେ ରୋଗୀ କେତେ ସୁରକ୍ଷିତ।ଭଞ୍ଜନଗର ଡାକ୍ତର ଖାନା ବିଷୟରେ ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଜନ ପ୍ରୀତିନିଧି କୌଣସି ପଦକ୍ଷେପ ନେଉ ନାହାନ୍ତି ଯାହା ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
