ସୋର ପୌରପାଳିକାର ସ୍ୱଚ୍ଛ ସାଥୀ ତଥା ଆଦର୍ଶ ଯୁବ ପରିଷଦର ସେବାମୟୀ ମମତା ମାଆଙ୍କ ପରଲୋକ
(ସୋର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ) ସେବା ହଁ ବ୍ରତ, ସେବା ହିଁ ତାଙ୍କ ଜୀବନର ମୂଳମନ୍ତ୍ର ଥିଲା। ନିଜ କର୍ମ କ୍ଷେତ୍ର ସହ ଜଣେ ସ୍ବେଛାକୃତ ସମାଜସେବୀ ରୂପେ ତାଙ୍କର ତ୍ୟାଗ ଅତୁଳନୀୟ ଥିଲା। ସୋର ପୌରପାଳିକା ଅନ୍ତର୍ଗତ ୦୩ ନଂ ୱାର୍ଡ଼ ବଢ଼େଇସାହିର ବାସିନ୍ଦା ତଥା ପୌରପାଳିକାରେ ସ୍ୱଚ୍ଛ ସାଥୀ ଭାବେ କାର୍ଯ୍ୟ କରୁଥିବା ମମତା ଦାସଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଯାଇଛି। ସୂଚନା ଅନୁସାରେ ମମତା ଦୀର୍ଘ ଦିନରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ମାତ୍ର ସେଥିରୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇ ଯାଇ ଚିକିତ୍ସିତ ହୋଇ ଆରୋଗ୍ୟ ପରେ ନିଜ କର୍ମ କ୍ଷେତ୍ରକୁ ମଧ୍ୟ ଫେରିଥିଲେ। ମାତ୍ର ଗତ କେଇ ମାସ ତଳେ ପୁଣି ଥରେ ଦେହ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରୁ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ଭୋର ୦୩ଟା ୫୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମମତା ଏକା ଧାରାରେ ଜଣେ ଧର୍ମପରାୟଣ , ପରୋପକାରୀ , ସେବା ମୟୀ ନାରୀଟିଏ ଥିଲେ। ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ଜଣେ ସକ୍ରିୟ ସଦସ୍ୟା ଭାବେ ତାଙ୍କୁ ମମତାମୟୀ ମାଆ ବୋଲି ସମ୍ବୋଧନ କରାଯାଉଥିଲା। ଏହି ଖବର ପାଇ ତାଙ୍କ ବାସ ଭବନରେ ଶେଷ ଦର୍ଶନ ସହ ମମତା ମାଆ ଅମର ରହେ ଧ୍ୱନିରେ ସୋର ବଜାରରେ ଆଦର୍ଶ ଯୁବ ପରିଷଦର ସଦସ୍ୟଙ୍କ ଦ୍ୱାରା ଏକ ବାଇକ ରାଲି ହୋଇଥିଲା। ଉକ୍ତ ବାଇକ ରାଲି ସୋର ପୌରପାଳିକାରେ ପହଁଚିଲା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କ ସହ ସମସ୍ତ କର୍ମଚାରୀ ଶେଷ ଦର୍ଶନ ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏମିତି ଜଣେ ତ୍ୟାଗ ପୂତ ସଦସ୍ୟାଙ୍କୁ ହରାଇ ପରିଷଦ ଆଜି ଭାଙ୍ଗି ପଡିଛି ବୋଲି ସଭାପତି ପୃଥିବୀ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ୨୦୧୯ ମସିହାରେ ମମତା ସୋର ପୌରପାଳିକାରେ ସ୍ୱଚ୍ଛ ସାଥୀ ରୂପେ ଯୋଗ ଦେଇ ପ୍ଲାଣ୍ଟ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ନିଜ ପୁଅ, ଝିଅ, ସ୍ୱାମୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ। ପୂର୍ବତନ ପାରିଷଦ ରଞ୍ଜନ ଦାସ, ବର୍ତ୍ତମାନର ପାରିଷଦ ରାଜେନ୍ଦ୍ର ମହାନ୍ତି,ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପତ୍ରୀଙ୍କ ସହ ଶହ ଶହ ସଂଖ୍ୟାରେ ଲୋକ ମନେ ଯୋଗ ଦେଇ ଶେଷ ଦର୍ଶନ କରିଥିଲେ।
