ମହିଳା ବିଜୁ ଜନତା ଦଳ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭବାନୀପାଟଣା:(କିଶନ ଶର୍ମା)-୦୮/୦୩-
ପରାଧୀନ ଭାରତରେ ମହିଳାଙ୍କ ସାମାଜିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକର ସମ୍ବିଧାନରେ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମାନ ଅଧିକାର ପ୍ରଦାନ କରିଥିଲେ। ଏହାପରେ ସାରା ଦେଶରେ ପ୍ରଥମ ଥର ପାଇଁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ରାଜନୀତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଉ ପାଦେ ଆଗକୁ ଯାଇ ରାଜନୀତିରେ ୫୦ ପ୍ରତିଶତ ସଂରକ୍ଷଣ ଭଳି ଐତିହାସିକ ପଦକ୍ଷେପ ନେଇଥିଲେ। କିନ୍ତୁ ଆଜିର ଦିନରେ ଉଭୟ ଦେଶ ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଆଜି ଦେଶ ଓ ରାଜ୍ୟର ମହିଳା ରାଜରାସ୍ତାରେ ଚାଲିବାକୁ ଭୟ କରୁଛନ୍ତି। ମାତ୍ର ଅଠର ମାସର ବିଜେପି ସରକାର ସମୟରେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ଶୀର୍ଷରେ ପହଞ୍ଚିଛି। ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ସାରା ରାଜ୍ୟରେ ମହିଳା ସୁରକ୍ଷା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କିନ୍ତୁ ବିଜେପି ସରକାର ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ରୋକିବା ବଦଳରେ ଉଦାସୀନ ରହିବା ଏ ସରକାରଙ୍କ ଚରମ ଅପାରଗତା ବୋଲି ଆଜି ଭବାନୀପାଟଣାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ବିଜେଡି ନେତୃବୃନ୍ଦ ବକ୍ତବ୍ୟ ରଖିଛନ୍ତି। ବିଜୁ ମହିଳା ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ବିସିସି ବ୍ୟାଙ୍କ ଉପାଧ୍ୟକ୍ଷା ନନ୍ଦିନୀ ସାହୁ, ଥୁଆମୂଳ ରାମପୁର ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜେଡି ନେତ୍ରୀ ସମିତା ନାୟକ ପରିଚାଳନା କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ମହିଳା ବିଜେଡି ନେତ୍ରୀ ସଙ୍ଗୀତା ଖରସେଲ, ସୁନନ୍ଦା ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଟୁନୀ ଖୋସଲା, ଲକ୍ଷ୍ମୀ ସାହୁ, ପୁଷ୍ପଲତା ନାଏକ, ପୂର୍ବତନ ପୌରାଧ୍ଯକ୍ଷା ସଂଯୁକ୍ତା ବେହେରା, କାଉନସିଲର ହାରାମଣୀ ଗଣ୍ଡ, ରଂଯୁକ୍ତା ପ୍ରଧାନ, ମଞ୍ଜୁଶ୍ରୀ ନାଏକ, ଜୟଶ୍ରୀ ଅଗ୍ରୱାଲ, ମହିଳା ନେତ୍ରୀ ସୂତପା ବହିଦାର, ସବିତା ରାଉତ, ପ୍ରତିଭା ଚୌହାନ, ମମତା ଦାସଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ୩୦୦ରୁ ଉର୍ଦ୍ଧ୍ଵ ମହିଳା ନେତୃବୃନ୍ଦ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ଉପସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ, ଧର୍ମେନ୍ଦ୍ର ନାଏକ, ଟିକେଲାଲ ସାହୁ, ନଗର ସଭାପତି ଧବଳେଶ୍ଵର ମହାପାତ୍ର, ଯୁବନେତା ଅବିନାଶ ଠାକୁର, ମନୀନ୍ଦ୍ର ମହାନ୍ତି, ମଣ୍ଟୁ ନାଏକ, ପ୍ରଦୀପ ପ୍ରଧାନ, ବରକତ ଖାନ, ଶେଖ ମୁନାୱାର, କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ଉତ୍ପଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
