ଜିଲ୍ଲାପାଳଙ୍କ ଅଫିସରୁ ଧାନ ଚୋରି
ବରଗଡ :୦୬/୦୩(ନି, ପ୍ର) ବରଗଡ଼ ଜିଲ୍ଲାପାଳ ଅଫିସରେ ଧାନ ପକାଇ ଧାରଣା ଦେଇଥିବା ଚାଷୀଙ୍କ ଧାନ ଚୋରି ହୋଇଯାଇଥିବା ନୀଳାଞ୍ଚଳ ଦେହେରୀ, ତିଳରାମ ଦେହେରୀ, ପ୍ରଭାତ ଦେହେରୀ, ଦେବେନ୍ଦ୍ର ଛୁରିଆ , କିଶୋର ଦେହେରୀ, ବୀରେନ୍ଦ୍ର ଦେହେରୀ, ଅଶ୍ୱିନୀ ଦେହେରୀ ଚାଷୀମାନେ ଟାଉନ ଥାନାରେ ଲିଖିତ ଭାବେ FIR ଦେଇଛନ୍ତି। ପ୍ରକାଶ ଥାଉକି ଜିଲ୍ଲାରେ ପଞ୍ଜିକରଣରୁ ବାଦ ପଡ଼ିଥିବା ହଜାର ହଜାର ଚାଷୀମାନେ ଟୋକନ ଆସିବ, ଧାନ ବିକ୍ରି ହେବା ଆଶାନେଇ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପକାଇଛନ୍ତି, ଏବଂ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଏହି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି। ପ୍ରଶାସନିକ ସ୍ତରରେ ଅପେକ୍ଷକର ଟୋକନ ଆସିବ କହି ଆଶ୍ୱାସନା ଦେଉଛନ୍ତି ହେଲେ ଟୋକନ ନାହିଁ କି ଧାନ କିଣା ହେଉନାହିଁ। ସେଥିପାଇଁ ଚାଷୀମାନେ ବାଧ୍ୟହୋଇ ଗତ କାଲି ଜିଲ୍ଲାପାଳ ଅଫିସରେ ତାଙ୍କର କଷ୍ଟ ଉପାର୍ଜିତ ଧାନ ପକାଇ ଧାରଣାରେ ବସିଥିଲେ। ଦିନ ୨ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆଲୋଚନା ପାଇଁ ନ ଆସିବାରୁ କାର୍ଯ୍ୟରତ ଥିବା ପୋଲିସ ମାନଙ୍କ ଉପସ୍ଥିତିରେ ଧାନ ଛାଡି ଘରକୁ ଯିବା ଘୋଷଣା କରିଥିଲେ। ଆଜି ସକାଳୁ ଆସି ଦେଖିଲା ବେଲେ ପକାଇଥିବା ଧାନ ନାହିଁ ଆଶ୍ଚର୍ଯ୍ୟ ହୋଇ ଟାଉନ ପୋଲିସକୁ ଫୋନ କରିବାରୁ ଡି ଆର ସି ଏସ ଙ୍କୁ ପଚାରି ବୁଝିବା ପାଇଁ କହିଥିଲେ, DRCS ମହୋଦୟ ମଧ୍ୟ ଏହି ପ୍ରସଙ୍ଗରେ କିଛି ଜାଣିନଥିବା କହିଛନ୍ତି। ବଡ ଆଶ୍ଚର୍ଯ୍ୟର ବିଷୟ ଜିଲ୍ଲାପାଳ ଅଫିସରୁ ଧାନ ଚୋରି ନେଲା କିଏ ଓ କାହିଁକି ? ବୋଲି ପ୍ରଶ୍ନ କରି ଏହା ଅତ୍ୟନ୍ତ ଦୁଃଖର ଏବଂ ପରୀତାପର ବିଷୟ ବୋଲି ସଂଯୁକ୍ତ କୃଷକ ସଂଗଠନର ସଦସ୍ୟ ରମେଶ ମହାପାତ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ମର୍ମସ୍ପର୍ଶୀ ଅଟେ ଯଦି କୃଷକମାନେ ନିଜ କଷ୍ଟଉପାର୍ଜିତ ଧାନ ବିକ୍ରି ନ କରିପାରି ହକ ଅଧିକାର ଆନ୍ଦୋଳନକୁ ଏପରି ଭାବେ ଦମନ କରିବା ପ୍ରଶାସନର ହୀନ ଚକ୍ରାନ୍ତ ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ହେଉଅଛି।
