ପୋଲିସ ମାଧ୍ୟମରେ ଚାଇଲଡ ଲାଇନକୁ ଉଦ୍ଧାର ନାବାଳକ ହସ୍ତାନ୍ତର କଲା ଆଦର୍ଶ ଯୁବ ପରିଷଦ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ରେଳ ଷ୍ଟେସନ ସନ୍ନିକଟ କାନାରା ବ୍ୟାଙ୍କ ନିକଟରୁ ଉଦ୍ଧାର କରାଯାଇଥିବା ଜଣେ ନାବଳକଙ୍କୁ ଆଜି ଅପରାହ୍ଣରେ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ ଜଳେଶ୍ୱର ସ୍ଥିତ ଗାନ୍ଧିସେବାଶ୍ରମ ଈଶ୍ୱରୀଲାଲ ଶିଶୁ ଭବନର ଜଣେ ନାବାଳକ ଅନ୍ତେବାସିନୀ ଆଶ୍ରମରୁ ଫେରାର ହୋଇ ସୋର ରେଳ ଷ୍ଟେସନ ନିକଟ ଷ୍ଟେସନ ରୋଡ କାନାରା ବ୍ୟାଙ୍କ ନିକଟରେ ଇତଃସ୍ତତ ଭାବେ ବୁଲୁଥିବା ବେଳେ ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବ ପରିଷଦର ସକ୍ରିୟ ସଦସ୍ୟ ହରେକୃଷ୍ଣ ଶିଅଳ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପାଖରେ ରଖି ବହୁ ଆଡ଼େ ଉକ୍ତ ନାବାଳକ ବିଷୟରେ ଅନୁସନ୍ଧାନ କରି ନିରାଶ ହେବା ପରେ ଆଜି ସକାଳେ ସୋର ଥାନାରେ ଜିମା ଦେଇଥିଲେ। ଖବର ପାଇ ବାଲେଶ୍ୱର ଚାଇଲ୍ଡ ଲାଇନର ସଦସ୍ୟ ଓ ଉକ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସୁପରିଟେଣ୍ଡଙ୍କ ସମତେ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ନାବାଳକକୁ ନେଇଥିବା ଜଣାପଡିଛି। ପ୍ରକାଶ ଥାଉ କି ଉକ୍ତ ନାବାଳକ ଜଣଙ୍କ ଗତ ୨୦୨୪ ମସିହାରେ ରେଳ ପୁଲିସ ଦ୍ୱାରା ଷ୍ଟେସନରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି ବାଲେଶ୍ୱରଙ୍କ ହସ୍ତକ୍ଷେପରେ ଉକ୍ତ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ। ସେବେଠାରୁ ନାବାଳକ ଜଣଙ୍କ ସେଠାରେ ରହୁଥିବା ବେଳେ ଗତ ୨୨ ତାରିଖରେ ଉକ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କ ଅବହେଳା ପାଇଁ ପାଚେରୀ ଡେଇଁ ଜଳେଶ୍ୱରରୁ ଏକ ଟ୍ରେନରେ ସୋରକୁ ପଳାଇ ଆସିଥିଲେ। ଏହି ସମୟରେ ପରିଷଦର ସଭାପତି ତଥା ଯୁବ ଆଇନଜୀବୀ ପୃଥିବୀ ରଞ୍ଜନ ବେହେରା, ଭାବଗ୍ରାହୀ ରାଉତ, ଯଦୁ ନାଥ ଧଡ଼ା,ଅଞ୍ଜନ କୁମାର ଦାସ ଥାନାରେ ଉପସ୍ଥିତ ରହି ପିଲାଟିକୁ ହସ୍ତାନ୍ତର କରିଥିଲେ।
