ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଦେବାକୁ କହି ବୃଦ୍ଧାଙ୍କ ନିକଟରୁ ଲୁଟ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଇନ୍ଦିରା ଆବାସ କାର୍ଯ୍ୟାଦେଶ ଦେବାକୁ କହି ଟଙ୍କା ଏବଂ ମୋବାଇଲ ଲୁଟ ହୋଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଏହି ଗ୍ରାମର ସତ୍ୟଭାମା ରାଉତ (୬୫) ଆଜି ଘରେ ଏକୁଟିଆ ଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ସେ ବ୍ଲକରୁ ଆସିଥିବା ପରିଚୟ ଦେଇଥିଲେ ଏବଂ ତାଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ସେଂକ୍ସନ ହୋଇଥିବା କହିଥିଲେ। କିନ୍ତୁ ତମ ପଡୋଶୀ ଏହାକୁ ବିରୋଧ କରୁଥିବାରୁ ଏହା ପାଇବାକୁ ହେଲେ ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଫଳରେ ସତ୍ୟଭାମା ଧାନ ବିକ୍ରି କରି ରଖିଥିବା ୨୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ବ୍ଲକ ଯାଇ କାର୍ଯ୍ୟାଦେଶ ଆଣିବାକୁ ସାଙ୍ଗରେ ଆଣିଥିଲେ। ଏହା ପରେ ଉଭୟ ବାମ୍ଫି ଛକରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ବୃଦ୍ଧାଙ୍କୁ ସେଠାରେ ଛାଡ଼ିଦେଇ ତାଙ୍କ ନିକଟରେ ଥିବା ଏକ ମୋବାଇଲ ନେଇ ଫେରାର ହୋଇଯାଇଥିଲେ। ଅନ୍ୟ ଉପାୟ ନ ପାଇ ବୃଦ୍ଧା ଜଣକ ସୋର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
