*ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*
*ସମସ୍ତ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବେ ବୁଝି ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ*
*ସଠିକ ତଥ୍ୟ ପ୍ରଦାନ କରି ଜନଗଣନାକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଲେ ଜିଲ୍ଲାପାଳ*
ବରଗଡ଼: (ନି, ପ୍ର)
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ପଦ୍ମପୁର ଉପଜିଲ୍ଲାପାଳ ଆରାଗୁଲା ସ୍ନେହା, ଜିଲ୍ଲାର ସମସ୍ତ ତହସିଲଦାର ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚାର୍ଜସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର ସୁମତି ପଣ୍ଡା, ପରିସଂଖ୍ୟାନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଜନଗଣନାର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।
ସୂଚନାଯୋଗ୍ୟକି, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଦ୍ଵାରା ଆଗାମୀ ଅପ୍ରିଲ ୧୬ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ଏଥି ନିମନ୍ତେ ଅପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ଡିଜିଟାଲ ସ୍ୱଗଣନା ବ୍ୟବସ୍ତା ରହିବ । ଯେଉଁଥିରେ ଯେକୌଣସି ବ୍ୟକ୍ତି ସେନସସ ପୋର୍ଟାଲ ବ୍ୟବହାର କରି ନିଜର ସମସ୍ତ ତଥ୍ୟ ଅପଲୋଡ୍ କରିବା ପରେ ଏକ ରେଫରେନ୍ସ ନମ୍ବର ପାଇପାରିବେ । ଏହାପରେ ସମ୍ପୃକ୍ତ ଏନ୍ୟୁମେରେଟର୍ ଘୋରାଇ ସେନସସ ସର୍ଭେ ସମୟରେ ପୁନର୍ବାର ଯାଞ୍ଚ କରି ସଠିକ ତଥ୍ୟ ଅନଲାଇନ ମାଧ୍ୟମରେ ଲିପିବଦ୍ଧ କରିବେ।
ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଭାବେ ପ୍ରଦାନ କରି ଜନଗଣନାକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିବା ସହ ଜନଗଣନାର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବୁଝି ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଶିବିରରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଡେପୁଟି କଲେକ୍ଟର ସୁମତି ପଣ୍ଡା ସମସ୍ତମକୁ ସ୍ବାଗତ କରିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ ଏବଂ ଉପଜିଲ୍ଲାପାଳ ଶ୍ରୀମତୀ ଆରଗୁଲା ସ୍ନେହା ଆରଗୁଲା ନିଜ ବକ୍ତବ୍ୟରେ କହିଥିଲେ ଯେ, ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ । ଏଥିରେ କେବଳ ବ୍ୟକ୍ତିବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯିବ ଯାହା ଯୋଜନା ଏବଂ ନୀତି ପ୍ରଣୟନରେ ସାହାଯ୍ୟ କରେ । ତେଣୁ ସମସ୍ତେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ଉଚିତ ।
ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଟ୍ରେନିଂ ଅଫିସର ଭାବେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ଲକ୍ଷ୍ମଣ ମୁଖି ଯୋଗ ଦେଇ ବରଗଡ଼ ଜିଲ୍ଲାରେ ଜନଗଣନାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଜନଗଣନା ସମ୍ପର୍କିତ ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା ସହ ଜନଗଣନା ନିମିତ୍ତ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ ତଥା ହାଉସ୍ ଲିଷ୍ଟିଂ ବ୍ଲକ୍ ଚିହ୍ନଟ ଓ ଗଠନ ପ୍ରକ୍ରିୟା, ଚାର୍ଜ୍ ରେଜିଷ୍ଟର ପ୍ରସ୍ତୁତି, ସଠିକ୍ ଭାବେ ଗୃହ ସଂଖ୍ୟାକରଣ ଓ ନୋସନାଲ୍ ମ୍ୟାପ୍ ପ୍ରସ୍ତୁତି, ଅନଲାଇନ୍ ତଥ୍ୟ ସଂଗ୍ରହ ପ୍ରକ୍ରିୟା, ଏନ୍ୟୁମେରେଟର୍ ଓ ସୁପରଭାଇଜର ମାନଙ୍କ ନିଯୁକ୍ତି, କାର୍ଯ୍ୟ ବଣ୍ଟନ ଏବଂ ସେମାନଙ୍କ କାର୍ଯ୍ୟଗତି ଟ୍ରାକିଂ ବ୍ୟବସ୍ଥା, ସେନସସ୍ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନଙ୍କ ଭୂମିକା ଓ ଦାୟିତ୍ୱ ତଥା ସଠିକ୍ ସମୟସୀମା ମଧ୍ୟରେ ଗୁଣାତ୍ମକ ତଥ୍ୟ ସଂଗ୍ରହ ପାଇଁ ବିଭାଗୀୟ ସମନ୍ୱୟ ଓ ନିରନ୍ତର ନିରୀକ୍ଷଣ ଭଳି ବିଭିନ୍ନ ବିଷୟରେ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଜନଗଣନା ନିର୍ଦ୍ଦେଶାଳୟ ଷ୍ଟାଟିସ୍ଟିକାଲ ଇନଭେଷ୍ଟିକେଟର ଆଶୁତୋଷ କୁମାର ସିଂ ସହଯୋଗ କରିଥିଲେ ।
