ମାଟ୍ରିକ ପରୀକ୍ଷା ବେଳେ ଅପେରାକୁ ଅନୁମତି, ପ୍ରଶାସନ ର ଉପରେ ପ୍ରଶ୍ନବାଚୀ?
ବାଲେଶ୍ବର /ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଛାତ୍ର ଛାତ୍ରୀ ମାନଙ୍କ ଜୀବନ ରେ ଦଶମ ବୋର୍ଡ଼ ପରୀକ୍ଷା ହେଉଛି ଏକ ମାଇଲଖୁଣ୍ଟ। କିନ୍ତୁ ଏଠି ପ୍ରଶ୍ନ ଉଠେ ପରୀକ୍ଷା ସମୟରେ ଅପେରା କୁ କିଏ ଅନୁମତି ଦେଲା? ଯାତ୍ରା କମିଟି କାହା ବଳରେ ବଳିୟାନ। ଆଗାମୀ ଫେବ୍ରୁଆରି ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏତିକିବେଳେ ଯାତ୍ରା ପରିବେଷଣ ପାଇଁ ଅପେରା ପାର୍ଟିକୁ ପ୍ରଶାସନ ଅନୁମତି ଦେଇଛି। ଏହାକୁ ନେଇ ଆଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ପାଟୁଳୀ ଗ୍ରାମରେ ଏପରି ସ୍ଥିତି ଉପୁଜିଛି।ସୂଚନା ଅନୁଯାୟୀ, ପାଟୁଳୀ ଗ୍ରାମର ଜାଗର ମେଳା ପଡିଆରେ ଆଗାମୀ ଫେବ୍ରୁଆରି ୧୩ରୁ ୧୫ ତାରିଖ ଯାଏ ପାର୍ବତୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବ। ଏନେଇ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବା ବେଳେ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ବହୁ ଦର୍ଶକ ଏଥିରେ ସାମିଲ ହୋଇ ଯାତ୍ରା ଉପଭୋଗ କରିବାକୁ ଜଣେ କଳାକାର ସାମାଜିକ ଗଣମାଧ୍ୟମରେ କହୁଥିବା ଭିଡିଓ ଭାଇରାଲ ହେଉଛି। ଯାହା ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି। ଯାତ୍ରାସ୍ଥାନ ଠୁ ମାତ୍ର ୧ କିମି ପାଟୁଳୀ ହାଇସ୍କୁଲ। ୧୯ ତାରିଖ ମାଟ୍ରିକ ପରୀକ୍ଷା ଥିବା ବେଳେ ପିଲାମାନେ ହାଇସ୍କୁଲ ଛାତ୍ରାବାସ ସମେତ ଘରେ ପାଠ ପଢ଼ିବେ କେମିତି? ପରୀକ୍ଷା ବେଳେ ପ୍ରଶାସନ ଅନୁମତି ଦେଲା କେମିତି ବୋଲି ପ୍ରଶ୍ନ ଉଠିଛି। ପିଲାମାନଙ୍କ ଭବିଷ୍ୟତ ସହିତ ନଖେଳି ତୁରନ୍ତ ସେହି ସମୟରେ ଯାତ୍ରା ପରିବେଷଣ ବନ୍ଦ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।
