କଣ୍ଠଶିଳ୍ପୀ ଶୁଭେନ୍ଦୁ ପାଢୀ ସମ୍ବର୍ଦ୍ଧିତ
ଭବାନୀପାଟଣା, ୧୯/୧ (କିଶନ ଶର୍ମା)- ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ୍ ରେଣ୍ଡୋମାଝୀ ମଞ୍ଚରେ କଳାହାଣ୍ଡିର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢୀ ସମ୍ବର୍ଦ୍ଧିତ ହୋଇଛନ୍ତି। ଜୀବନବ୍ୟାପି ସଂଗୀତ ସାଧନା କରିଚାଲିଥିବା ଶ୍ରୀଯୁକ୍ତ ପାଢୀ ଆକାଶବାଣୀ ଓ ଦୁରଦର୍ଶନର ଜଣେ ସୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଅଟନ୍ତି। ସେ ବିଗତ ୪୦ ବର୍ଷ ଧରି ଆକାଶବାଣୀ ସମ୍ବଲପୁର, ଜୟପୁର ଓ ଭବାନୀପାଟଣାର ଶତାଧିକ ସୁଗମ ସଂଗୀତ ଗାନ କରିଥିବା ବେଳେ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ ଓ ଜାତୀୟସ୍ତରୀୟ ମଞ୍ଚ ନାଟକ ମାନଙ୍କରେ କଣ୍ଠଦାନ କରି ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଶ୍ରୀଯୁକ୍ତ ପାଢୀ କଣ୍ଠଦାନ ସହିତ ସଂଗୀତ ସଂଯୋଜନା ଏବଂ ନିର୍ଦ୍ଦେଶନା ମଧ୍ୟ କରିଥାନ୍ତି। ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୀତି ବିଜ୍ଞାନରେ ଅଧ୍ୟାପନା କରୁଥିବା ଶ୍ରୀଯୁକ୍ତ ପାଢୀଙ୍କୁ କଳାହାଣ୍ଡି ଉତ୍ସବ-୨୦୨୬ ଅବସରରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିଥିବାରୁ ସଂଗୀତଜ୍ଞ ଶ୍ରୀଯୁକ୍ତ ପାଢୀଙ୍କ ପ୍ରତି ତାଙ୍କ ଶ୍ରୋତା ଓ ଶୁଭେଚ୍ଛୁମାନଙ୍କ ଅଭିନନ୍ଦନର ସୁଅ ଛୁଟିଛି।
