ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତା
କାମାକ୍ଷାନଗର -(ରିପୋର୍ଟ -ଧର୍ମାନନ୍ଦ ସେଠି)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ର ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡ ର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଏକ ଉଦ୍ ଘାଟନ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ଦାଶ ଭାରତୀୟ ସମ୍ବିଧାନ ପ୍ରଣୟନ ର ପୃଷ୍ଠଭୂମି, ସାମ୍ବିଧାନିକ ସଭା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି କାମାକ୍ଷାନଗର ର ସହ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ସହ ଜିଲ୍ଲାପାଳ ସୌମ୍ୟଜିତ୍ ପାଇକରାୟ ଦେଶ ଗଠନ ରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର, ସତ୍ୟ ନାରାୟଣ ମିଶ୍ର ଓ ନନ୍ଦ କିଶୋର ଧୀର ଯୋଗ ଦେଇ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ବିଧାନର ଅନୁପାଳନ, ସଂଶୋଧନ ଏବଂ ବିଭିନ୍ନତା ମଧ୍ୟରେ ଏକତା ର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଅଧ୍ୟାପିକା ସ୍ଵପ୍ନିତା ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟ ବସ୍ତୁ ଓ ଉଦ୍ଦେଶ୍ୟର ବ୍ୟାଖ୍ୟା କରିଥିଲେ। ଅଧ୍ୟାପକ ସୋମନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ତାପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ମହାବିଦ୍ୟାଳୟ ର ୧୫୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜେତା ମାନଙ୍କୁ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବା ସହ ମାନପତ୍ର ପ୍ରଦାନ କରାଯିବ। ଉପଖଣ୍ଡ ପ୍ରଶାସନ ର ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗି ମନୋଭାବ ସହ ବନ୍ଧୁତା ସୃଷ୍ଟିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
