
ବୌଦ୍ଧ:- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଜିଲାସ୍ତରୀୟ ଷ୍ଟିୟରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ମଦନମୋହନ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏ.ଡି.ପି.ଏଚ.ଓ (ଏଫଡବ୍ଲୁ) ଡ଼ଃ କିଶୋର ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ବୈଠକରେ ବ୍ଳକସ୍ତରୀୟ କାର୍ଯ୍ୟସୂଚୀ ପ୍ରସ୍ତୁତି ପାଇଁ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଥିଲା l ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନେ ଆବାହକ ଭାବରେ ଦାୟିତ୍ୱ ନିର୍ବାହ କରିବେ l କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ସାମିଲ କରିବା, ବ୍ଲକସ୍ତରରେ କମିଟି ବୈଠକ କରି ଅତିଶୀଘ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଅପ୍ରେଲ ୧ ତାରିଖରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେବ l ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ୧ ହଜାର ହିତାଧିକାରୀଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି l ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ତଦାରଖ କମିଟି ଗଠନ କରାଯାଇ ସିନିୟର ଅଫିସରମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କଣ୍ଟାମାଳ, ଉପ ଜିଲାପାଳ ହରଭଙ୍ଗା ଏବଂ ଜିଲ୍ଲା ପରିଷଦ ସହକାରୀ ନିର୍ବାହୀ ଅଧିକାରୀ ବୌଦ୍ଧ ବ୍ଲକ ଏବଂ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକ୍ରମ ତଦାରଖ କରିବେ l ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନୋଡାଲ ଅଧିକାରୀ ଭାବରେ ଜିଲ୍ଲାରେ ଏବଂ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନୋଡାଲ ଅଧିକାରୀ ଭାବରେ ଏବଂ ତହସିଲଦାରମାନେ କାର୍ଯ୍ୟକ୍ରମରେ ସହଯୋଗ କରିବେ l ବୈଠକ ଶେଷରେ ଡି.ଏମ.ଓ. ମେଡିକାଲ ଡ଼ଃ ସଂଘମିତ୍ରା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିବାବେଳେ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷ ୩ ହଜାର ୫୫୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି l କମନ ସର୍ଭିସ ସେଣ୍ଟରଗୁଡିକୁ କାର୍ଡ ପଞ୍ଜିକରଣ ଓ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l