କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା, ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା (ଢାବା) ଙ୍କର ଶୁକ୍ରବାର ଦିନ ସଂଧ୍ଯାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା ।ତୃଣମୂଳ ସ୍ତରରେ ଜଣେ ସୁସଂଗଠକ ଭାବେ ପରିଚିତ ଦେବେନ୍ଦ୍ର କଂଗ୍ରେସ ଟିକେଟ୍ରେ ୨୦୧୪ ବିଧାନସଭା ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।
ଦେବେନ୍ଦ୍ର ଶର୍ମା ୧୯୫୯ ମସିହା ମାର୍ଚ୍ଚ ୧୮ରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ପରେ ମୟୂରଭଞ୍ଜ ଆଇନ କଲେଜରୁ ୧୯୮୨ ମସିହାରେ ଗ୍ରାଜୁଏସନ ଶେଷ କରିଥିଲେ । ଦେବେନ୍ଦ୍ରଙ୍କ ବାପା ଡ଼. ଦିବାକର ଶର୍ମା ୧୯୬୭ରେ ବିଧାୟକ ହୋଇଥିଲେ । ବାପାଙ୍କୁ ଅନୁସରଣ କରି ସେ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଏବଂ ଏଆଇସିସି ସଭ୍ଯ ଓ ଓପିସିସି ସଦସ୍ୟ ମଧ୍ୟ ସେ ରହିଥିଲେ । ଓଡ଼ିଶା କ୍ରିକେଟ୍ ସଂଘର ଜଣେ ସକ୍ରିୟ ସଦସ୍ୟ ରହିବା ସହ କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଭାରତ ଏବଂ ଓଡ଼ିଶାରେ ଫୁଟବଲ୍ କ୍ଷେତ୍ରରେ ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ବେସ ଜଣାଶୁଣା ଥିଲେ । ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ନିଜ ବାପାଙ୍କ ନାମରେ ଡକ୍ଟର ଦିବାକର ଶର୍ମା ବାଳିକା ଉଚ୍ଚ ବିଦ୍ୟାଳୟ ଚଳାଇବା ସହ ଆଳିରେ ଗରିବଶ୍ରେଣୀର ପିଲାଙ୍କ ପାଇଁ ଥିବା ସତ୍ୟ ସାଇ ସ୍କୁଲର ମଧ୍ୟ ପରିଚାଳନା କରୁଥିଲେ । ସେ ଆଳି କଲେଜର ଅଧ୍ୟକ୍ଷ ଭାବରେ ମଧ୍ୟ ଏକଦା କାର୍ଯ୍ୟ କରିଥିଲେ ।
ଅସୁସ୍ଥତା କାରଣରୁ ଗତ ନିର୍ବାଚନରେ ସେ ପ୍ରାର୍ଥୀ ହୋଇନଥିଲେ। ଦେବେନ୍ଦ୍ରଙ୍କ ବଦଳରେ ତାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା ଦଳ।
ଦେବେନ୍ଦ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରି ଲୋକପ୍ରତିନିଧି ଭାବେ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ବିୟୋଗ ଖବର ପାଇବା ପରେ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଦଳର ଅନ୍ୟ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ତାଙ୍କର ମୃତ୍ୟୁ ଖବର ପାଇ ଆଳି, ରାଜକନିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ କୁମାର ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ମହାକାଳପଡାର ଯୁବନେତା ବିଭ୍ରାଂଶୁ ଶେଖର ଲେଙ୍କା, ପ୍ରମୋଦ ଚନ୍ଦ୍ର ସ୍ବାଇଁ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଆଡଭୋକେଟ ବିଧୁଭୁଷଣ ମହାପାତ୍ର, ରତିକାନ୍ତ କାନୁନଗୋ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଆସନ୍ତାକାଲି ଦେବେନ୍ଦ୍ର ଶର୍ମାଙ୍କ ଅନ୍ତିମ ସଂସ୍କାର କରାଯିବ। ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ବିଧାନସଭାକୁ ନିଆଯିବ। ଏହା ପରେ ରାଜ୍ୟ କଂଗ୍ରେସ ଭବନରେ ପାର୍ଥିବ ଶରୀର ପହଞ୍ଚିବ। ପରେ କେନ୍ଦ୍ରାପଡା ଦେଇ ଆଳିସ୍ଥିତ ବାସଭବନକୁ ମରଶରୀର ନିଆଯିବ ବୋଲି ସୂଚନା।
