ଆମ ଯାଜପୁର ର ଅଟଳ କପ–୨୦୨୫ ସଫଳ ଉଦ୍ଯାପନ!
ଅଟଳଙ୍କ ସ୍ମୃତିରେ କ୍ରିକେଟ, ଯୁବମାନଙ୍କ ଏକତାରେ ଯାଜପୁର !
ଯାଜପୁର, (ଭଞ୍ଜଦୂତ:ନିପ୍ର)(ସରୋଜ କୁମାର ଧଳ)
ଯୁବମାନଙ୍କୁ କ୍ରୀଡା ମାଧ୍ୟମରେ ଏକତ୍ର କରିବା, ଶୃଙ୍ଖଳା ଓ ଦେଶପ୍ରେମର ମୂଲ୍ୟବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ଆମ ଯାଜପୁର” ସାମାଜିକ ସଂଗଠନ ପକ୍ଷରୁ ଯାଜପୁର ସହର କୁସୁମା ସମ୍ମୁଖରେ ଥିବା କ୍ରିକେଟ ଷ୍ଟାଡିୟମ ଠାରେ ଦୁଇଦିନ ଧରି ଆୟୋଜିତ ଅଟଳ ବିହାରୀ ବାଜପେୟୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ – ଅଟଳ କପ–୨୦୨୫ ସଫଳତାର ସହିତ ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ଯାଜପୁରର କ୍ରୀଡା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି।
ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ୍ ଭାଇ ଭାଇ ୧୧, ଜାଲପୁର ଓ ଜୀବନଜ୍ୟୋତି ମୋଟରାଙ୍ଗାପାଳ ମଧ୍ୟରେ ହୋଇଥିଲା। ଟସ୍ ଜିତି ଭାଇ ଭାଇ ଇଲେଭେନ ପ୍ରଥମେ ବ୍ୟାଟିଂ କରି ୭୧ ରନ ସଂଗ୍ରହ କରିଥିଲା। ଲକ୍ଷ୍ୟ ପଛୁଆ କରି ଜୀବନଜ୍ୟୋତି ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ସମସ୍ତ ଉଇକେଟ ହରାଇ ୪୩ ରନରେ ସୀମିତ ରହିଗଲା। ଫଳରେ ଭାଇ ଭାଇ ଇଲେଭେନ, ଜାଲପୁର ୨୮ ରନରେ ବିଜୟୀ ହୋଇ ଚ୍ୟାମ୍ପିଅନ୍ ହାସଲ କରିଥିଲା।ଫାଇନାଲ୍ ମ୍ୟାଚ୍ରେ ଭାଇ ଭାଇ ଦଳର ଚିନ୍ମୟ ସାହୁ ଦମଦାର ବୋଲିଂ କରି ୫ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇ ସମସ୍ତଙ୍କ ଆକର୍ଷଣ କେନ୍ଦ୍ର କରିଥିଲେ। ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ବେଷ୍ଟ ବୋଲର ଓ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ଏହାସହ ଜୀବନଜ୍ୟୋତି ଦଳର ଧନ ରାଉତ ତାଙ୍କର ଦମଦାର ବ୍ୟାଟିଂ ପାଇଁ ବେଷ୍ଟ ବ୍ୟାଟସ୍ମ୍ୟାନ୍ ପୁରସ୍କାର ହାସଲ କରିଥିଲେ।ଉଦ୍ଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସିତିକଣ୍ଠ କାନୁନଗୋ, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ବିଜେପି ରାଜ୍ୟ ଯୁବମୋର୍ଚା ଉପସଭାପତି ସଂଗ୍ରାମ କେଶରୀ ପାତ୍ର, ବିଜେପି ନେତା ସଞ୍ଜୟ ନାୟକ, ସୁଶାନ୍ତ ସାହୁ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଶ୍ରୀଧର ବିଶ୍ୱାଳ, ଗୁଣ୍ଠିରାମ ଜେନା ଓ ସମାଜସେବୀ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ବିଜେତା ଦଳକୁ ଟ୍ରଫି ସହ ନଗଦ ୨୫,୦୦୦ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଏହି ସଫଳ ଆୟୋଜନ ମାଧ୍ୟମରେ
“ଆମ ଯାଜପୁର” ସାମାଜିକ ସଂଗଠନ ଯୁବମାନଙ୍କ ମଧ୍ୟରେ କ୍ରୀଡା ମନୋଭାବ, ଶୃଙ୍ଖଳା ଓ ଏକତାର ସନ୍ଦେଶ ପହଞ୍ଚାଇପାରିଛି। ସମଗ୍ର ଟୁର୍ନାମେଣ୍ଟ ପାଇଁ ସଂଗଠନକୁ କ୍ରୀଡାପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ପ୍ରଶଂସା ମିଳିଛି।
