୨୮ ତମ ପରବର ଦ୍ୱିତୀୟ ସନ୍ଧ୍ୟା
ପଟ୍ଟାଙ୍ଗି ଓ ନନ୍ଦପୁରର ଢ଼େମଶା, ମାଳିପୁଟ ମେଲୋଡି, ହାମସୁଫି ଵେଣ୍ଡରେ କମ୍ପିଲା ପରବ ମଞ୍ଚ
ପରବ ଦେଶର ଶ୍ରେଷ୍ଠ ଲୋକ ମହୋତ୍ସବ- ମନ୍ତ୍ରୀ ସୁରେଶ ପୂଜାରୀ
କୋରାପୁଟ- ୧୯.୧୨.୨୦୨୫-ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ଆଜି ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଳ ଶୀତ ସତ୍ତ୍ବେ ଭରପୂର ଜନ ସମାଗମ ଦେଖିବାକୁ ମିଳିଛି। ପରବ ପଡ଼ିଆରେ ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପୁ ଭତ୍ରା ,କୋରାପୁଟ ଏସପି ରୋହିତ ବର୍ମା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା , ସିଡିଓ ବେଣୁଧର ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ପରବ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ରବକ୍ତବ୍ୟ ରଖିଥିଲେ। କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ଦେଶର ଶ୍ରେଷ୍ଠ ଜିଲ୍ଲା ମହୋତ୍ସବ ବୋଲି ମୂଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। କୋରାପୁଟ ଦୃଷ୍ଟି ବାଧିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସ୍ୱାଗତ ଭାଷଣ ଦେଇଥିବାବେଳେ ସିଡିଓ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ରୀଡାବିତ ଲକ୍ଷ୍ମଣ ଦିଶାରୀଙ୍କୁ କ୍ରୀଡା କ୍ଷେତ୍ରରେ ସଫଳତା ପାଇଁ ପରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନସ ଅନ୍ତେବାସୀଙ୍କ ନୃତ୍ୟ, ମାଲିପୁଟ ମେଲୋଡ଼ି,ପଟ୍ଟାଙ୍ଗି ଓ ନନ୍ଦପୁରର ଢେମସା, ମାଲକାନଗିରିର ବଣ୍ଡା ନୃତ୍ୟ, ପୁରୀର ଶ୍ରେୟା ପଣ୍ଡାଙ୍କ ମାଳଖମ୍ବ ନୃତ୍ୟ, ଗଞ୍ଜାମର ଶ୍ୟାମ ଘନ ବେହେରାଙ୍କ ପଶୁ ମୁଖା ନୃତ୍ୟ, ମହାରାଷ୍ଟ୍ର ନାଗପୁରର ବିଦ୍ୟା ଭାବେଙ୍କ ଲାୱଣି ନୃତ୍ୟ ଏବଂ ହମସୁଫି ଵେଣ୍ଡରେ ପରବ ମଞ୍ଚ କମ୍ପି ଉଠିଥିଲା ବେଳେ ଦର୍ଶକ ଝୁମି ଉଠିଥିଲେ। ଏହା ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
