ସୋର ଟ୍ରେଜେରୀ କଲୋନୀରେ ବେଆଇନ ପାହାଡ଼ ମାଟି ଗଛିତ ଅଭିଯୋଗ: ଜେସିବି ଜବତ,ମାଲିକ ଫେରାର
ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ) : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଗୁଡ଼ି ପଥର ଖାଦାନରୁ ବେଆଇନ ପଥର ପରେ ଏବେ ବେଆଇନ ପାହାଡ଼ ମାଟି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ବେଆଇନ ଭାବେ ପାହାଡ ମାଟିକୁ ଗଚ୍ଛିତ ରଖି ବ୍ୟବସାୟ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଏକ ଜେସିବିକୁ ଜବତ କରାଯାଇଛି। ସୁଚନା ଅନୁସାରେ ସୋର ବ୍ଲକ ମହୁମୁହାଣ ପଞ୍ଚାୟତର ଖଞ୍ଜାମହାଲ ପଥର ଖାଦାନ ଦୀର୍ଘ ଚାରିବର୍ଷରୁ ଅଧିକ ଦିନ ହେବ ସରକାରୀ ଭାବେ ବନ୍ଦ ହୋଇଛି। ମାତ୍ର ଦିନ ରାତି ସବୁ ସମୟରେ ଏଠାରେ ପଥର ଲୁଟ ଚାଲିଛି। ଏହି ପାହାଡରୁ ବାହାରୁ ଥିବା ପାହାଡ ମାଟିକୁ ମଧ୍ୟ ମାଫିଆ ମାନେ ଲୁଟି ନେଉଛନ୍ତି। ଫଳରେ ସରକାର ରାଜସ୍ୱ ହରାଉଛନ୍ତି ଓ ମାଫିଆ ମାନେ ଖଣି ଅଧିକାରୀଙ୍କୁ ହାତ କରି ଲକ୍ଷପତି ହେଉଛନ୍ତି। ଏହି ପାହାଡ ମାଟିକୁ ଟ୍ରେଜେରୀ କଲୋନିରେ ଜଣେ ବ୍ୟକ୍ତି ବହୁ ମାତ୍ରାରେ ଗଚ୍ଛିତ ରଖି ବ୍ୟବସାୟ କରୁଥିବା ବେଳେ ଆଜି ମଧ୍ୟାହ୍ନରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋର ତହସିଲଦାର ଚଢାଉ କରିଥିଲେ। ଚଢ଼ାଉ ହେଉଥିବା ଜାଣିପାରି ଟ୍ରାକ୍ଟର ଓ ଟ୍ରକ ଗୁଡିକ ଛତ୍ରଭଙ୍ଗ ଦେଇଥିବା ବେଳେ ଏକ ଜେସିବି ମେସିନକୁ ତହସିଲଦାର ଜବତ କରିଥିଲେ। ଜବତ ଜେସିବିକୁ ସୋର ତହସିଲ ପରିସରରେ ରଖାଯାଇଥିବା ବେଳେ ଖଣି ବିଭାଗର ନିୟମ ଅନୁସାରେ ଫାଇନ ଆଦାୟ କରାଯିବା ପରେ ଜେସିବିକୁ ଛଡାଯିବ ବୋଲି ସୂଚନା ମିଳିଛି। ପୁର୍ବରୁ ପଥର ଲୁଟ ଚାଲିଥିବା ବେଳେ ଏବେ ଦିନ ରାତି ସବୁ ସମୟରେ ପାହାଡ ମାଟି ଲୁଟ ହେଉଥିବାରୁ ଜିଲ୍ଲା ପ୍ରଶାସନ ଚଢାଉ କରି ମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
