ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ; ଏସ୍.ଡି.ପି.ଓ. ଦେବେନ୍ଦ୍ର ନାଥ ପିଙ୍ଗୁଆ
ଯୋଡ଼:କେନ୍ଦୁଝର ଜିଲ୍ଲାର ଯୋଡାଠାରେ ଯୋଡା ପ୍ରେସ୍ କ୍ଲବ୍ ର ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହକୁ ବଡବିଲ ଉପଖଣ୍ଡ ପୋଲିସ୍ ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ।
ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭାବେ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି ବୋଲି ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରେସ୍ ସ୍ୱାଧିନତା ଗଣମାଧ୍ୟମର ଏକ ବିଶେଷ ଅଙ୍ଗ ଯାହାକି ସମାଜକୁ ପ୍ରଗତିଶୀଳ କରାଇବା ସହ ଉନ୍ନତି ପଥରେ ଆଗେଇ ନେଇଥାଏ ବୋଲି ମଧ୍ୟ ସେ କହିଥିଲେ ।
ଦୈନିକ ଓଡିଆ ସମ୍ବାଦପତ୍ର “ନିର୍ଭୟ” ର ସମ୍ପାଦକ ତଥା ବରିଷ୍ଠ ଖ୍ୟାତନାମା ସାମ୍ବାଦିକ ନବୀନ ଦାସ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଏବଂ ସୋଶିଆଲ୍ ମିଡିଆ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିବା ସହ ସାମ୍ବାଦିକମାନେ ସ୍ୱଚ୍ଛ, ନିରପେକ୍ଷ ଭାବେ ସେମାନଙ୍କର ଲେଖନୀ ମୁନରେ ସଦାସର୍ବଦା ସମାଜକୁ ଜାଗ୍ରତ କରାଇବା ଆବଶ୍ୟକ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ଇଣ୍ଡଷ୍ଟ୍ରିଆଲ୍ ମାଇନ୍ସ ଅବଜର୍ଭର୍ ପତ୍ରିକାର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି ଏଥିରେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଭୂମିକା, କାର୍ଯ୍ୟଶୈଳୀ, କର୍ତ୍ତବ୍ୟ ଏବଂ ଦାୟିତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କଲମର ଲେଖନୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଥାଏ ବୋଲି ସେ କହିଥିଲେ ।
ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗ ଅଧ୍ୟାପକ ତଥା ବରିଷ୍ଠ ସମ୍ପାଦକ ଡ. ଜିତେନ୍ଦ୍ର କୁମାର ଦାସଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ଛାତ୍ରଛାତ୍ରୀ ଏବଂ ସମାଜସେବୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।
ପ୍ରାରମ୍ଭରେ ଶିକ୍ଷକ ଦୀପ୍ତି ରଂଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଯୋଡା ପ୍ରେସ୍ କ୍ଲବ୍ ର ସାଧାରଣ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଯୋଡା ପ୍ରେସ୍ କ୍ଲବ୍ ର ଉପ-ସଭାପତି ତଥା ସାମ୍ବାଦିକ ଗଣେଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୋଡା ପ୍ରେସ୍ କ୍ଲବ୍ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନିହାର ରଂଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୋଡା ପ୍ରେସ୍ କ୍ଲବ୍ ର ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଯୋଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ୍, ବି.ଡି.ଓ. ଦାନିସ୍ ବେହେରା, ବଡବିଲ ଅତିରିକ୍ତ ତହସିଲଦାର ପ୍ରିତମଜ୍ୟୋତି ନାୟକ ତଥା ସମସ୍ତ ସାମ୍ବାଦିକ ବନ୍ଧୁ, ବୁଦ୍ଧିଜିବୀ ଏବଂ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
