ଗଛ ଲଗାଇ ନୀୟାରା ଢ଼ଙ୍ଗ ରେ ପାଳିଲେ ଶିଶୁ ଦିବସ ।
ଗଜପତି (ଟିକି ଲିମା)
ଶିଶୁ ଦିବସ କହିଲେ ମନକୁ ଆସେ କେବଳ ଉତ୍ସବ, ନାଚଗୀତ… କିନ୍ତୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ସ୍କୁଲ୍ ଏଥର ଏକ ଭିନ୍ନ ପରମ୍ପରା ସୃଷ୍ଟି କରିଛି । ମାଟି ରୁ ପରିବେଶ ଓ ମାନବସେବାକୁ ବଦଳିଛି ଶିଶୁ ଦିବସର ସ୍ୱରୂପ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଯୋଷେଫ ଇଂଲିଶ ମିଡିୟମ ସ୍କୁଲରେ ପାଳିତ ହୋଇଛି ଏକ ସ୍ୱତନ୍ତ୍ର ଶିଶୁ ଦିବସ । ସ୍କୁଲର ସେକ୍ରେଟାରୀ ତଥା ମ୍ୟାନେଜର ଫାଦର ଅଜିତ କୁମାର ନାୟକଙ୍କ ନେତୃତ୍ୱରେ, ସ୍କୁଲର ସମସ୍ତ କର୍ତ୍ତୃପକ୍ଷ – ପ୍ରିନ୍ସିପାଲ, ଜଜ୍ ମେରି, ଫାଦର ଧିରେନଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମେ ବୃକ୍ଷରୋପଣ କରି ଏହି ଦିବସର ଶୁଭାରମ୍ଭ କରିଥିଲେ । ଶିଶୁମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଏକ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଗଢ଼ି ତୋଳିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ, ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ନାଚ ଗୀତ ପରିବେଷଣ କରିଥିବା ବେଳେ, ନବ ଜୀବନ ଟ୍ରଷ୍ଟ ଏକ ମହତ କାର୍ଯ୍ୟ କରିଥିଲା । ସ୍କୁଲ ପରିସରରେ ଉପସ୍ଥିତ ଥିବା ସମସ୍ତ ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । କିନ୍ତୁ କଥା ଏତିକିରେ ଶେଷ ହୋଇ ନଥିଲା । ସ୍କୁଲ୍ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ସିଧାସଳଖ ଲେପରସି କଲୋନୀରେ ପହଞ୍ଚିଥିଲେ । ସେଠାରେ ଥିବା ଲୋକମାନଙ୍କୁ ଶୀତ ବସ୍ତ୍ର, ଶୁଖିଲା ଖାଦ୍ୟ ସହ ନୀତି ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ସେମାନଙ୍କ ଦୁଃଖରେ ଭାଗୀଦାର ହୋଇଥିଲେ । ଏଭଳି ମାନବିକତାପୂର୍ଣ୍ଣ ପଦକ୍ଷେପ, ବାସ୍ତବରେ ଆମ ସମାଜ ପାଇଁ ଏକ ପ୍ରେରଣା । ସେଣ୍ଟ ଯୋଷେଫ ସ୍କୁଲ୍ ପ୍ରମାଣିତ କରିଛି ଯେ ଶିକ୍ଷା କେବଳ ପାଠ୍ୟକ୍ରମରେ ସୀମିତ ନୁହେଁ, ବରଂ ଏହା ସାମାଜିକ ସେବା ଓ ମୂଲ୍ୟବୋଧର ଶିକ୍ଷା ଦେବା ଉଚିତ୍ ।
