ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର‘ମହିମା ଅଲେଖ’ଭାରତୀୟ ପାନୋରମା’ରେ ମନୋନୀତ ।
ଓଡ଼ିଶାର ଗୌରବକୁ ଆହୁରୀ ବୃଦ୍ଧି କରି ଜାତୀୟ,ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର‘ମହିମା ଅଲେଖ’ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଓରରଓ)ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଓଡ଼ିଶାର ମହତ୍ତ୍ଵପୂର୍ଣ୍ଣ ଧାର୍ମିକ ପରମ୍ପରା ମହିମା ଧର୍ମ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଆ ସିନେମା ଜଗତକୁ ଆଉ ଏକ ସଫଳତା ଆଣିଦେଇଛି । ଓଡିଶାରୁ ଜନ୍ମଗ୍ରହଣ କରିଥିବା ମହିମାଧର୍ମ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ମହିମା ଅଲେଖ ଚଳଚ୍ଚିତ୍ର ମାଧ୍ୟମରେ ଏହି ମହାନ ଦର୍ଶନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଆଉ ଏକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । କାଦମ୍ବିନୀ ମିଡିଆ ଏବଂ ଡିଜିଫାଇଭ୍ ସିର ମିଳିତ ବ୍ୟାନରରେ ନିର୍ମିତ ହୋଇଛି ଏହି ସିନେମା । ‘ମହିମା ଅଲେଖ’ଚଳଚ୍ଚିତ୍ରରେ ଓଡ଼ିଶାରେ ଜନ୍ମିତ ମହିମା ଧର୍ମର ଦର୍ଶନ,ନିୟମ,ଶୃଙ୍ଖଳା,ସୋପାନ ଭେଦ,ଧର୍ମ ପରିଚ୍ଛଦ,ଆହାରବିଧି,ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଈଶ୍ବର ଧ୍ୟାନ ଓ ଭଜନ ସମେତ ସଂଘ ଚେତନାକୁ ସ୍ଥାନ ଦିଆଯାଇଛି । ଏହା ପୂର୍ବରୁ ନିର୍ଦ୍ଦେଶକ ଖଟୁଆଙ୍କ ନିର୍ମିତ‘ଦିସି ଆଣ୍ଡ ସେଭେନ ଭିଲେଜେସ୍’ ଚଳଚ୍ଚିତ୍ରଟି ଇଣ୍ଡିଆନ ପାନୋରମାରେ ସ୍ଥାନ ପାଇବା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ବର୍ତ୍ତମାନ ପୁଣିଥରେ‘ମହିମା ଅଲେଖ’ଭାରତୀୟ ପାନୋରମାରେ ସ୍ଥାନ ପାଇବା ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ ସଫଳତା ଆଣୀ ଦେଇଛି । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା ଡକ୍ଟର ଇତିସାମନ୍ତ ଓ ଡକ୍ଟର ସ୍ନେହଶ୍ରୀ ସ୍ଵାଇଁ କରି ଥିବାବେଳେ ସିନେମାଟୋଗ୍ରାଫର ଭାବେ ମାନସ ରଥ,ସତ୍ୟଜିତ ମହାନ୍ତି,ସମ୍ପାଦନା ଟିମରେ ବିଜୟ ବେହେରା,ସୁବାସ ମହାପାତ୍ର ଓ ରାକେଶ ମହାପାତ୍ର ଶବ୍ଦ ବିଭାଗରେ ଭବାନୀ,ଜାନି,ଆଶିଷ ପଟ୍ଟନାୟକ,ସୁବ୍ରତ ରାଉତରାୟ ଓ ସହ ନିର୍ଦ୍ଧେଶନାରେ ଗୀତି ମୁଗ୍ଧ ସାହାଣୀ କାର୍ଯ୍ୟ କରିଛନ୍ତି । ମହିମା ଅଲେଖ’ ଟିମ୍କୁ ଏହି ମହତ୍ତ୍ବପୂର୍ଣ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ କହିଛନ୍ତି – ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ…ଓଡ଼ିଶାରେ ଜନ୍ମିତ ମହିମା ଧର୍ମ ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ମହିମା ଅଲେଖ’ ଚଳିତ ବର୍ଷ ୨୦୨୫ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆରେ ପ୍ରଦର୍ଶନ ନିମନ୍ତେ ମନୋନୀତ ହୋଇଛି ।ସବୁଦିନ ପାଇଁ ‘ମହିମା ଅଲେଖ’ ଚଳଚ୍ଚିତ୍ରଟି ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଗୌରବଜନକ ଅଧ୍ୟାୟ ହୋଇ ରହିବ ।
ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି କାଦମ୍ବିନୀ ଓ ଡିଜି ଏଫ5ସି ମିଳିତ ପ୍ରଯୋଜନାରେ ନିର୍ମିତ । ଏହି ଚଳଚ୍ଚିତ୍ରର ସଫଳତାର ଶ୍ରେୟ ମୁଁ ସମସ୍ତ ଓଡିଶାବାସୀଙ୍କୁ ଦେବା ସହ ମୋ ସମସ୍ତ ଟିମ ମେମ୍ବରଙ୍କୁ ଶୁଭେଚ୍ଛା ଜଣାଉଛି ।
ହିମାଂଶୁ ଖଟୁଆ
ନିର୍ଦ୍ଦେଶକ
