କୋଭିଡ୍ ଯୋଧ୍ୟାକୁ ଭୁଲିଗଲା ଜିଲ୍ଲା ପ୍ରଶାସନ!
୫ ବର୍ଷ ହେଲା — ଗ୍ରାଟୁଇଟି ଓ NPS ଅପେକ୍ଷାରେ ପରିବାର
(ଏବେ ତାଙ୍କ ପରିବାର ଅନ୍ୟ ଏକ ଯୁଦ୍ଧ ଲଢ଼ୁଛି — ଅଧିକାରୀଙ୍କ ଅସହଯୋଗ ସହ)
ଯାଜପୁର(ଭଞ୍ଜଦୂତ:ନିପ୍ର)ରିପୋର୍ଟର ସରୋଜ କୁମାର ଧଳ
କୋଭିଡ୍ ମହାମାରୀ ସମୟରେ ଜନସେବାରେ ନିଜ ଜୀବନ ଉତ୍ସର୍ଗ କରିଥିବା ସ୍ବାସ୍ଥ୍ୟକର୍ମୀ ସ୍ୱର୍ଗତ ଲୋକେଶ କୁମାର ପଣ୍ଡାଙ୍କ ପରିବାର ଏପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି। ଜୀବନ ହରାଇଥିବାର ୫ ବର୍ଷ ପରେ ମଧ୍ୟ, ସରକାରୀ ଭାବରେ ମିଳିବାକୁ ଥିବା ଚାକିରି ଗ୍ରାଟୁଇଟି ଓ NPS ଟଙ୍କା ତାଙ୍କ ଅସହାୟ ପତ୍ନୀ ମୋନାଲିଶାଙ୍କୁ ମିଳିନାହିଁ।
ସୂତ୍ର ଅନୁସାରେ, ପୂର୍ବ ସରକାର ସମୟରେ କରୋନା ସହିଦଙ୍କ ପରିବାରଙ୍କୁ ଶୀଘ୍ର ସହାୟତା ମିଳିଥିଲା। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ କିରାଣୀ ଥିବା କମଳାକାନ୍ତ ନନ୍ଦଙ୍କ ଅଧିକାରୀୟ ଅସହଯୋଗ ଫଳରେ ସେହି ପ୍ରକ୍ରିୟା ବିଲମ୍ବିତ ହୋଇପଡ଼ିଥିଲା। ମୋନାଲିଶା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନେକଥର ଯାଇ ନିରାଶ ହୋଇଥିଲେ। ଶେଷରେ ସେ ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କ ସହିତ ସାକ୍ଷାତ କରି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଘଟଣାକୁ ଗଭୀରତାର ସହିତ ନେଇ, ପ୍ରାୟ ୧୧ ମାସ ପରେ ସରକାରୀ ପରିବାର ସହାୟତା ଭତ୍ତା ଟଙ୍କା ମିଳିଥିଲା। ଏହି ଅସହଯୋଗୀ ଆଚରଣ ଦେଖି ଜିଲ୍ଲାପାଳ ସେତେବେଳେ ନନ୍ଦଙ୍କୁ ସୁକିନ୍ଦାକୁ ବଦଳି କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ସେହି ଅଧିକାରୀ ପୁଣି ଯାଜପୁରକୁ ଫେରି ଆସି, ଦୁର୍ନୀତିପର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉସକାଇ ଲୋକେଶ ପଣ୍ଡାଙ୍କ ପରିବାର ପାଇବାକୁ ଥିବା ଗ୍ରାଟୁଇଟି ଓ NPS ଟଙ୍କା ରିଲିଜ୍ କରୁନାହାନ୍ତି ବୋଲି ଅଭିଯୋଗ ଉଠିଛି। ସହାୟତା ପାଇବା ଆଶାରେ ମୋନାଲିଶା ପଣ୍ଡା ଏପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଓ ସରକାରୀ ଅଫିସ ଘୁରୁଛନ୍ତି। ନିରାଶ ଓ ହତାଶ ହୋଇ ସେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ।
