ଗୋପାଳ ଓଗାଳ ଓ ଲଉଡ଼ି ପରମ୍ପରା ।
ଢେ଼ଙ୍କାନାଳ ସଦର : ଆମ ରାଜ୍ୟ ଓଡ଼ିଶା । ଆମ ସଂସ୍କୃତି ଓ ପରମ୍ପରା ଅତୀତ ଓ ବର୍ତ୍ତମାନ ଆମ ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ମହାନ । ଯେମିତି ଜଗନ୍ନାଥ ସଂସ୍କୃତି ଆମର ଗୌରବମୟ ପରିଚୟ,ସେମିତି ଆମ ଲୋକକଳା ଓ ଲୋକ ସଂସ୍କୃତି ଆମକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି । ବାର ମାସରେ ତେର ପର୍ବ ପରି ଧର୍ମ ଓ ସଂସ୍କୃତି ସହିତ ଲୋକ କଳା ସେମିତି ଯୋଡ଼ି ହୋଇ ରହିଛି । ସେହି ଆଧାରରେ ଆମ ଭାଷା,ସାହିତ୍ୟ,ସଂସ୍କୃତି,କଳା ଭାସ୍କର୍ଯ୍ୟ ଆମ ପାଇଁ ଏକ ମହାନ ପରମ୍ପରା ତିଆରି କରିଛି । ଯେମିତି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଦେବଦାସୀ,ମାହାରୀ,ଗୋଟିପୁଅ ଏବଂ ଓଡ଼ିଶୀ ଭଳି ନୃତ୍ୟ ସଙ୍ଗୀତ ସୃଷ୍ଟି ହୋଇ ଆମକୁ ଦେଶ ଓ ଦେଶ ବାହାରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି;ଠିକ ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କୁ କେନ୍ଦ୍ର କରି ଗୋପାଳ ଓଗାଳ ଓ ଗୋପାଳ ଲଉଡ଼ି ଖେଳ ସୃଷ୍ଟି ହୋଇଛି । ଏହି ଲଉଡି ଖେଳ ଗୋପାଳ ଭାଇମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀରେ ପ୍ରଭୁଙ୍କ ଲୀଳା ଖେଳା ପର୍ଯ୍ୟନ୍ତ ଗୋପାଳ ଓଗାଳ ଗୀତ ଲଉଡି ବାଡିଖେଳ ମଧ୍ୟମରେ ସୁନ୍ଦର ଭାବରେ ଗୀତ ଗାଇ ନୃତ୍ୟ ପରିବେଷଣ କରି ଥାଆନ୍ତି । ଢେଙ୍କାନାଳ ଜିଲ୍ଲାରେ ସେହିପରି ଉତ୍ପର୍ତ୍ତୀ ହୋଇଥିବା ମହିମା ଧର୍ମକୁ କେନ୍ଦ୍ରକରି ଖଞ୍ଜଣି ଭଜନ ମଧ୍ୟ ସୃଷ୍ଟି ହୋଇଛି । ଓଡ଼ିଶାର ମଧ୍ୟଭାଗରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ ହୋଇ ଭୌଗୋଳିକ ଅବସ୍ଥିତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଜଳବାୟୁ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଘଞ୍ଚ ଜଙ୍ଗଲ ଘେରିହୋଇ ରହିଥିବା ସୁଉଚ୍ଚ ପାହାଡ଼ ପର୍ବତ,ବ୍ରାହ୍ମଣୀ ନଦୀ,ଝରଣା ଏହାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଢେଙ୍କାନାଳ ଜିଲ୍ଲାକୁ ନିଆରା କରି ତୋଳିଛି । ଜିଲ୍ଲାରେ ମହିମା ଧର୍ମ ଉତ୍ପର୍ତ୍ତୀ ହେବା ସହିତ ଏହାର ସଂସ୍କୃତି ମଧ୍ୟ ସର୍ବବ୍ୟାପୀ ହୋଇପାରିଛି ।ସେହିପରି ଜିଲ୍ଲାରେ ଶୈବ,ଶାକ୍ତ,ଗାଣପତ୍ୟ ଓ ନାଗ ସମ୍ପ୍ରଦାୟ ଆଦି ଅନେକ ସଂସ୍କୃତିର ସମାହାର ସହିତ ରଥଯାତ୍ରା,କପିଳାସ ଜାଗର ଯାତ୍ରା,ଗଜ ଲକ୍ଷ୍ମୀପୂଜା,ଭୁବନ ବଳଦ ଯାତ୍ରା,ଯୋରନ୍ଦା ମାଘ ମେଳା,ନାଧରା ମକର ସଂକ୍ରାନ୍ତି ଯାତ୍ରା,ପାମଳ ଠାରୁ କୋଟବେରେଣୀ ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମରେ ହେଉ ଥିବା ବରାହ ଦୋଳ ଓ ଦୋଳ ପୂର୍ଣ୍ଣିମା ଠାରୁ ୧୨ ଦୋଳ ଅର୍ଥାତ ବାରୁଣୀ ସ୍ନାନ ପର୍ଯ୍ୟନ୍ତ ଏବଂ ସପ୍ତଶଯ୍ୟା ରାମନବମୀ ଉତ୍ସବ ଭାପୁର ଚୈତ୍ର ପୂର୍ଣ୍ଣିମା,ଝାମୁଯାତ୍ରା,ବୈଶାଖ ପୂର୍ଣ୍ଣିମା ଆଦି ଅନେକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଢେଙ୍କାନାଳ ଜିଲ୍ଲାରେ ପାଲା,ଦାସକାଠିଆ,ଦଣ୍ଡନାଚ,ଗୋପାଳ ଭାଇମାନଙ୍କ ଲଉଡ଼ି ଖେଳ,ପାଇକ ଆଖଡ଼ା,ଶବରଭାଇ ମାନଙ୍କ ଘୁମୁରା ନାଚ,କୈବର୍ତ୍ତ ଭାଇମାନଙ୍କ ଘୋଡ଼ାନାଚ,କେନ୍ଦେରା ବାଦନ,ଆଦିବାସୀ ନୃତ୍ୟ,ଘଣ୍ଟବାଦ୍ୟ,କଣ୍ଢେଇ ନୃତ୍ୟ,ନାମସଂକ୍ରିର୍ତ୍ତନ,ମୃଦଙ୍ଗ ବାଦନ,ଖଞ୍ଜଣି ଭଜନ,ଆଦି ଲୋକ କଳା ଏବଂ ଏହାର କଳାକାରମାନେ ଜିଲ୍ଲାକୁ ସମୃଦ୍ଧ କରିଛନ୍ତି । ରାଜ ରାଜୁଡ଼ା ସମୟରେ ଲୋକ କଳା ଓ ଲୋକ ସଂସ୍କୃତି ପ୍ରୋତ୍ସାହନ ପାଇ ସମୟର ସମତାଳରେ ଆଗକୁ ବଢ଼ି ଆସିଛି । ଏହି କଳା,ସଂସ୍କୃତି,ପରମ୍ପରାକୁ ଆଜିର ଆଧୁନିକ ସମାଜରେ ଆମର କଳା ସଂସ୍କୃତି ଲୋପ ପାଇବାକୁ ବସି ଥିବାବେଳେ ବିଭିନ୍ନ ସମାଜ ପକ୍ଷରୁ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଏହି ପୁରାତନ କଳାର ଗୀତ,ନୃତ୍ୟ,ଖେଳ,ବାଦ୍ୟ ପରିବେଷଣକୁ ବେଶ ଉଚ୍ଚ ପ୍ରଶଂସା କରିଛନ୍ତି ।
