ଢେଙ୍କାନାଳରେ ବାଘର ଉପସ୍ଥିତି ଗୁଜବ ! ତିନିଦିନ ହେଲା ବନବିଭାଗ ନକେଦମ୍ ।
ଢେଙ୍କାନାଳ ସଦର : ଢେଙ୍କାନାଳ ସହର ଉପକଣ୍ଠରେ ବାଘର ଉପସ୍ଥିତି ଖବର ବନ ବିଭାଗ ପାଇଁ ମୁଣ୍ଡବ୍ୟଥା ପାଲଟିଛି ! ସଂଧ୍ୟାହେଲେ ସହର ଚାରିପାଖ ବିଭିନ୍ନ ଜଙ୍ଗଲ ତଳିଆ ଅଞ୍ଚଳରେ ବାଘ ବାହାରୁଥିବା ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ଖରପାଇବା ପରେ ବନବିଭାଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବା ସହ ବାଘ ଠାବ କରିବାକୁ ଡ୍ରୋନ୍ ଉଡ଼ାଇବା ସହ ଜଗି ରହୁଛନ୍ତି । ଗତ ତିନିଦିନ ଧରି ଏଥିପାଇଁ ବନ ବିଭାଗକୁ ଖାଲି ନାକେଦମ୍ ଦେବାକୁ ପଡ଼ିଛି । ଅନ୍ୟପଟେ ବାଘ ବାହାରିବା ଖବର ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବି ଆତଙ୍କ ସୃଷ୍ଟି ହେଉଛି । ୨୫ ତାରିଖ ସହର ଉପକଣ୍ଠ ବୋରାପଦା ଗଜଲକ୍ଷ୍ମୀ ପ୍ୟାଲେସ୍ ନିକଟସ୍ତ କାଉଚି ଗ୍ରାମ ଜଙ୍ଗଲରେ ବାଘର ଗର୍ଜନ ଶୁଭିବା ଖବର ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଥିଲା ପ୍ୟାଲେସ୍ରୁ ଖବରପାଇ ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଛାନଭିନ୍ ସହ ବାଘକୁ ଟ୍ରାକ୍ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ବାଘ ପ୍ୟାଲେସ୍ ତଳ ଜଙ୍ଗଲରେ ଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିଲା । ସେହିପରି ଗତ ଦୁଇଦିନ ଧରି ସପ୍ତଶଯ୍ୟା ଜଙ୍ଗଲ ତଳି ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଘ ଦେଖାଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଗତକାଲି ରାତି ସାଢେ ୯ଟା ସମୟରେ ବାଘ ସିନିୟର୍ଜି କଲେଜ ପଛପଟେ ଥିବା ପ୍ରଚାର ହୋଇଥିଲା। ଏହାକୁ ନେଇ ପୁଣି ଲୋକମାନଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ୍ ଉଡ଼ାଇବା ସହ ଯଞ୍ଚ କରିଥିଲେ । ଏହାର ଦୁଇଘଣା ପରେ ରାତି ସାଢ଼େ ୧୧ଟା ସମୟରେ ବାଘ ସହରର ରାମେଶ୍ଵରପୁର ରେଳ ଷ୍ଟେସନ୍ଠାରେ ନିର୍ମାଣାଧୀନ ନୂତନ ଟ୍ରେନ୍ ଲାଇନ ଧାରଣା କଡ଼େ ଚାଲି ଚାଲି ଯାଉଥିବା ଫଟୋ ମୋବାଇଲ୍ରୁ ମୋବାଇଲ ଘୂରି ବୁଲିଥିଲା ଏହି ଖବର ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ଲୋକ ଏକାଠି ହୋଇ ଭାଇରାଲ୍ ଫଟୋକୁ ଦେଖି ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରୁଥିଲେ । ବାଘକୁ କେହି ଦେଖିଥିବା କଥାକୁ ସ୍ପଷ୍ଟ କରୁ ନଥିବା ବେଳେ ଗତ ତିନିଦିନ ଧରି ବାଘର ଉପସ୍ଥିତି ଖବର ପାଇ ବନବିଭାଗକୁ ନାକେଦମ୍ ହେବାକୁ ପଡ଼ିଛି,ହେଲେ ବାଘର କୌଣସି ସୁରାକ୍ ମିଳିନାହିଁ । ଅଜି ସକାଳେ ଭାଇରାଲ୍ ହେଉଥିବା ବାଘର ଫଟୋଟି ଏଆଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଘଟଣା ପ୍ରଚାର ପରେ ବିଭିନ୍ନ ମହଲରେ ନାନା ନକରାତ୍ମକ ଆଲୋଚନା ହେଉଛି ।
ସଦର ରେଞ୍ଜର୍ ଉତ୍ସବ ପ୍ରଧାନ ଘଟଣାକୁ ନେଇ କହିଛନ୍ତି,ବିଭିନ୍ନ ସ୍ଥାନରେ ଏଆଇ ଦ୍ବାରା ବାଘର ଉପସ୍ଥିତି ପ୍ରସ୍ତୁତ କରାଯାଇ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଛି । ଏଥିପାଇଁ ବନ ବିଭାଗକୁ ନାକେଦମ୍ ହେବାକୁ ପଡିଛି । ଲୋକମାନେ ମଧ୍ୟ ଭୟଭୀତ ହେ । ତେବେ ବାଘର କୌଣସି ସନ୍ଧାନ ମିଳୁନାହିଁ । ଏ ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି I ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର କହିଛନ୍ତି,ଏଆଇ ମାଧ୍ୟମରେ କୌଣସି ଫଟୋ କିମ୍ବା ଭିଡିଓ ପ୍ରସ୍ତୁତ କରାଯାଇ ଅପପ୍ରଚାର କରାଯାଉଥିବା ସନ୍ଦେହ କରାଯାଉଛି ଏହାଦ୍ବାରା ଲୋଳମାନଙ୍କୁ ଆତଙ୍କିତ ଓ ଭୟଭୀତ କରାଯାଇଛି ଏ ସମ୍ପର୍କରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
