ଅକ୍ଟୋବର ୨୯ ଏବେବି ମନରୁ ଲିଭି ନାହିଁ :
ସେଦିନ ଥିଲା ଅକ୍ଟୋବର ୨୯ ତାରିଖ ୧୯୯୯ ମସିହା। ଠିକ ୨୬ ବର୍ଷ ତଳର ଘଟଣା। ଆକାଶରେ କଳା ବାଦଲ ଘୋଟି ଆସିଲା ଆଉ ନିମିଷକ ମଧ୍ୟରେ ଅନ୍ଧାର ହୋଇଯାଇଥିଲା। ସକାଳ ଆଠଟା ଲାଗିଲା ସତେ ଯେମିତି ରାତି ହୋଇଗଲା। ସେ ଦିନର କଥା ଏବେବି ମନରୁ ଲିଭି ନାହିଁ। ଜୁଆର ମାଡି ଆସିବାରୁ ନଇ ଗୁଡ଼ିକର ପାଣି କଟିପାରିଲାନି। ଚାରିଆଡେ ପାଣି ହିଁ ପାଣି। ତା ସାଙ୍ଗକୁ ପ୍ରବଳ ବର୍ଷା ଆଉ ପ୍ରବଳ ବେଗରେ ପବନ। ସେ ଦିନର ମହାବାତ୍ୟା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲାରେ ଏମିତି ଧନଜୀବନ ନଷ୍ଟ କରି ଦେଇ ଗଲାଯେ, ଆଜି ବି ଅପୂରଣୀୟ। ବିଶେଷ କରି ଜଗତସିଂହପୁର, କୁଜଙ୍ଗ, ପାରାଦ୍ଵୀପ, ଅଂଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ସେତେବେଳେ ମହାବାତ୍ୟାର ପୂର୍ବାନୁମାନ ଆକଳନ କରିବା ଯେତିକି କଷ୍ଟ ଥିଲା, ମହାବାତ୍ୟାର ପରବର୍ତ୍ତୀ ସମୟ ଥିଲା ଆହୁରି ଖୁବ ହୃଦୟ ବିଦାରକ। ଅନେକ ଘର ଦ୍ବାର ସମେତ ହଜାର ହଜାର ସଂଖ୍ୟାରେ ମଣିଷ ହୁଅନ୍ତୁ ଅବା ଜୀବଜନ୍ତୁ କିଏ କିଏ ପାଣିରେ ଭାସି ଗଲେତ ଆଉ ପରବର୍ତ୍ତୀ ସମୟରେ ମଣିଷ ଠାରୁ ଜୀବଜନ୍ତୁଙ୍କ କୁଢ କୁଢ ଶବ ପଡ଼ିଥିବା ଦୃଶ୍ୟ ଥିଲା ଖୁବ ହୃଦୟ ବିଦାରକ। ବାଲେଶ୍ୱରର ସୋର ସାବିରା ଠାରେ ଜାତୀୟ ରାଜପଥ କାଟିବା ଯୋଗୁଁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଥିବା ନଜିର ରହିଛି। ସେ ଦିନର ମହାବାତ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇ ଯାଇଥିବା ବେଳେ, ଆମ ରାଜ୍ୟର ଆର୍ଥିକ ତଥା ସାମାଜିକ ମେରୁଦଣ୍ଡ ବି ଦୋହଲି ଯାଇଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ହେଲେ ଏବେ ସମୟ ବଦଳିଛି, ପାଣିପାଗର ପୂର୍ବାନୁମାନ ଆମେ ସଠିକ ଭାବେ ଆକଳନ କରି ପାରୁଛୁ। ଲୋକେ ସଚେତନ ରହୁଥିବା ବେଳେ, କୌଣସି ପ୍ରକାରର ଯେମିତି କ୍ଷୟକ୍ଷତି ନ ହୁଏ, ସେଥିପ୍ରତି ସରକାରଙ୍କ ତରଫରୁ ଆଗୁଆ ପଦକ୍ଷେପ ବି ଗ୍ରହଣ କରାଯାଇ ପାରୁଛି କହିଲେ ଅତ୍ୟୁକ୍ତି ହେବନାହିଁ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
