*ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର “ସ୍ଵଚ୍ଛତା ଦୂତ “* *ଭାବେ ରୋହିତ ପୁଟେଲ ସମ୍ମାନିତ l*
ନୂଆପଡା(ମିଖାଏଲ ନନ୍ଦ)
ଜିଲ୍ଲା ପ୍ରଶାସନ,ନୂଆପଡ଼ାର ବଳିଷ୍ଠ ପଦକ୍ଷେପ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ -ମୁକ୍ତ ନୂଆପଡା ଅଭିଯାନକୁ ସହଯୋଗ ସମର୍ଥନ କରି, ଖରିଆର ବ୍ଲକର ଡୁଆଝର ଗ୍ରାମର ଯୁବ ପରିବା ବ୍ୟବସାୟୀ ରୋହିତ ପୁଟେଲ ଏକ ଦୃଢ ସଚେତନ ନାଗରିକ ଓ ସମାଜିକ ନେତୃତ୍ୱର ଦୃଷ୍ଟାନ୍ତ ହୋଇଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଠାରୁ ପ୍ରେରିତ ହୋଇ ସେ ନିଜ ଅଞ୍ଚଳର ବ୍ୟବସାୟୀମାନଙ୍କୁ ନିଷିଦ୍ଧ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ସାମଗ୍ରୀ, ଯେପରିକି ପଲିଥିନ ବ୍ୟାଗ ଓ ପ୍ଲାଷ୍ଟିକ ପାତ୍ର, ବ୍ୟବହାର ନକରିବାକୁ ସଚେତନ କରୁଛନ୍ତି। ସେ ଗ୍ରାହକମାନଙ୍କୁ ମଧ୍ୟ ନିଜ ସହିତ ପରିବେଶ- ଅନୁକୂଳ ଝୋଟ ବା କପଡ଼ା ଥଳି ନେଇ ଆସିବା ପାଇଁ ପ୍ରେରିତ କରୁଛନ୍ତି।ତାଙ୍କ ଏହି ନିରନ୍ତର ପ୍ରୟାସ ଓ ସମର୍ପଣ ଫଳରେ ସ୍ଥାନୀୟ ବଜାରରେ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବାର ଏକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ତାଙ୍କ ଏହି ଉଲ୍ଲେଖନୀୟ ଉଦ୍ୟମ ଓ ସତ୍ୟନିଷ୍ଠାକୁ ସ୍ୱୀକାର କରି, ଖରିଆର ମଣ୍ଡଳର ସ୍ୱଚ୍ଛତା ଟିମ୍ ଜିଲ୍ଲା ପ୍ରଶାସନ, ନୂଆପଡାଙ୍କ ପକ୍ଷରୁ ତାଙ୍କୁ ସମ୍ମାନ ଓ ପ୍ରଶଂସାର ସହିତ ଅଭିନନ୍ଦନ କରି “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର ସ୍ବଚ୍ଛତା ଦୂତ” ଭାବେ ଘୋଷଣା କରିଛନ୍ତି।
ରୋହିତଙ୍କ କାହାଣୀ ଏହା ପ୍ରମାଣ କରେ ଯେ, ସଚେତନତା ଓ ଦାୟିତ୍ୱର ଛୋଟ ଉଦ୍ୟମ ମଧ୍ୟ ବିଶାଳ ପରିବର୍ତ୍ତନ ଆଣିପାରେ। ସେ ସମୁଦାୟ ଭାଗୀଦାରିର ମହତ୍ତ୍ୱକୁ ଜାଗୃତ କରି ନୂଆପଡା ଜିଲ୍ଲାର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ ପରିବେଶ ଗଠନର ଲକ୍ଷ୍ୟକୁ ଆଗକୁ ବଢ଼ାଇ ନେଉଛନ୍ତି। ରୋହିତଙ୍କ ଏହି ପରିବେଶ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ରେ ଜିଲ୍ଲାପାଳ ଖୁସି ବ୍ୟକ୍ତ କରି,ସ୍ବଚ୍ଛ ସବୁଜ ସୁନ୍ଦର ନୂଆପଡା ଜିଲ୍ଲା ନିର୍ମାଣ ପାଇଁ ଆହୁରି ହଜାର ହଜାର ରୋହିତ ଆଗେଇ ଆସନ୍ତୁ ବୋଲି ଆହ୍ବାନ ଦେଇଛନ୍ତି l
