ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଥେଙ୍ଗଡ଼ିହା ଗ୍ରାମର ଜୈନିକା ଗର୍ଭବତୀ ସ୍ତ୍ରୀ ପ୍ରେମିକ ସହ ଫେରାର ମାରିବା ଘଟଣାକୁ ୨ମାସ ବିତିଯାଇଥିଲେ ସୁଦ୍ଧା ସ୍ତ୍ରୀକୁ ଫେରାଇ ଆଣିବା ଲାଗି ସ୍ବାମୀ ଥାନାର ଦ୍ବାରସ୍ଥ ହୋଇଥିଲେ ହେଁ ପୁଲିସ ହାତବାନ୍ଧି ବସିଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଘଟଣା ଅନୁସାରେ ଏହି ଗ୍ରାମର ଘମଶ୍ୟାମ କରଙ୍କ ପୁଅ ରାମକୃଷ୍ଣଙ୍କର ଭୋଗରାଇ ଥାନା ଅଲାଲବିନ୍ଧା ଗ୍ରାମର ବିଜୟ କୁମାର ଦାସଙ୍କ ଝିଅ ରଞ୍ଜିତା ସହ ୩ବର୍ଷ ପୂର୍ବେ ବିବାହ ହୋଇଥିଲା। ତେବେ ବିବାହ ପରେ ଦୁହିଙ୍କ ମଧ୍ୟରେ ଦାମ୍ପତ୍ଯ ଜୀବନ ଠିକ୍ ଠାକ୍ ଚାଲିଥିଲା ବେଳେ ରଞ୍ଜିତା ୭ମାସର ଗର୍ଭବତୀ ଥିଲେ। ତେବେ ଚେକଅପ ହେବା ପାଇଁ ରଞ୍ଜିତା ଗତ ଜୁଲାଇ ୧ ତାରିଖରେ ବାଲେଶ୍ବର ଫକୀରମୋହନ ମେଡ଼ିକାଲ କଲେଜକୁ ଆସିଥିଲେ। ମାତ୍ର ସନ୍ଧ୍ୟା ୬ଟା ସୁଦ୍ଧା ରଞ୍ଜିତା ଘରକୁ ନ ଫେରିବାରୁ ପରିବାର ଲୋକେ ହସ୍ପିଟାଲରେ ଖୋଜାଖୋଜି କରିବା ସହ ଶ୍ବଶୁର ଘର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ମାତ୍ର ରଞ୍ଜିତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ପରେ ଶ୍ବଶୁର ଘର ଗ୍ରାମର କାହ୍ନୁଚରଣ ଦାସଙ୍କ ପୁଅ ହରିଶ୍ଚନ୍ଦ୍ର ଓରଫ କାଶିଆ ରଞ୍ଜିତାକୁ ଶେଖଇ ବୁଝେଇ କୁଆଡ଼େ ନେଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ଫଳରେ ଘଟଣା ସମ୍ପର୍କରେ ରାମକୃଷ୍ଣ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ସହ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଥାନାବାବୁଙ୍କୁ ନିବେଦନ କରିଥିଲେ। ମାତ୍ର ଘଟଣାକୁ ୨ମାସ ବିତିଯାଇଥିଲେ ସୁଦ୍ଧା ସ୍ତ୍ରୀକୁ ଫେରାଇ ଆଣିବାରେ ପୁଲିସ ବିଫଳ ହୋଇଛି। ସ୍ତ୍ରୀକୁ ଫେରାଇ ଆଣିବାରେ ପୋଲିସ ଯଦି ତ୍ବରିତ ପଦକ୍ଷେପ ଗ୍ରହଣ ନକରେ ତାହେଲେ ରାଧାକୃଷ୍ଣ ଫାଣ୍ଡି ନଚେତ ଥାନା ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।
