ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : “ଲୋକେ କହିଲେ ବୋଲି ପୁଲିସ୍ ଷ୍ଟେସନ ରେ ଏଫେୟାର ଦେଇଛି। କିନ୍ତୁ ମୁଁ ଜାଣିଛି ପୁଲିସ୍ କିଛି କହିପାରିବ ନାହିଁ, ଓଲଟି ସେମାନେ ଆକ୍ରୋଶ ରଖି ପୁଣି ମୋ ଘରେ ପଶି ମାରଧର କରିବେ। ମୋର ଗୋଟିଏ ବୋଲି ପୁଅ। ଯାହା ଗଲା ଯାଉ ପଛେ ଆଉ କିଛି ହରେଇବାକୁ ଚାହୁଁନି। ପୁଲିସ୍କୁ କହି କିଛି ଲାଭ ନାହିଁ ।” ଏଭଳି ବୟାନ ଥିଲା ଗତ ୧୪ ତାରିଖ ରାତିରେ ଡକାୟତିରେ ଶିକାର ହୋଇଥିବା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଗାଁର ଅବସରପ୍ରାପ୍ତ ସେବା ସମବାୟ ସମିତି କର୍ମଚାରୀ ଗୁରୁପ୍ରସାଦ ସେଠୀଙ୍କର। ସୋର ଥାନା ଅଞ୍ଚଳରେ ମାତ୍ର କିଛି ଦିନ ବ୍ୟବଧାନରେ ପୁଣି ଘରେ ଭିତରେ ପଶି ସଶସ୍ତ୍ର ଡକାୟତି ହେବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ଦେଇଛି। ଗତ ୧୪ ତାରିଖ ରାତି ୧.୪୦ ମିନିଟରେ ଘର
ପଛପଟ ଗ୍ରିଲ୍ କାଟି କବାଟର ହୁଡୁକ କାଢ଼ି ପୁଅ-ବୋହୂ ଶୋଇଥିବା ଘରେ ପଶି ପୁଅ ମୁଣ୍ଡରେ ବନ୍ଧୁକ ଓ ବେକରେ ଖଣ୍ଡା ଲଗାଇ ଧମକ ଦେଇଥିଲେ। ବୋହୂ ସେମାନଙ୍କୁ ମାରଧର ନକରିବାକୁ ଅନୁରୋଧ କରି ତାଙ୍କର ସମସ୍ତ ଗହଣା ଖୋଲି ଦେବା ସହିତ ୨୦ ହଜାରୁ ଅଧିକ ଟଙ୍କା ନେଇଯାଇଥିଲେ। ପରେ ପୁଅ-ବୋହୂ, ମା’କୁ ଘରେ ପୂରେଇ ସେମାନେ ଗୁରୁ ପ୍ରସାଦଙ୍କୁ ବାନ୍ଧି ପାଖରେ ଥିବା ୩୦ ହଜାରରୁ ଉର୍ଦ୍ଧ ଟଙ୍କା ନେଇ ଯାଇଥିଲେ। ଯିବା ବେଳେ ଧମକ ଦେଇ କହିଗଲେ-“ଦେଖ ବୁଢ଼ା, ପୁଲିସରେ ଏତାଲା ଦେବୁ କିମ୍ବା ମିଡ଼ିଆ ହାଇଲାଇଟ କରିବୁ ତୋତେ ତୋ ପୁଅକୁ ଜୀବନରୁ ମାରିଦେବୁ ।” ସେମାନେ ପାଞ୍ଚ ଛ’ ଜଣ ଥିଲେ ଖଣ୍ଡା, ଭୁଜାଲି, ବନ୍ଧୁକ ଭଳି ମାରଣାସ୍ତ୍ର ଧରିଥିଲେ । ଟିକିଏ ଦୂରରେ ଗୋଟିଏ ବୋଲେରୋ ଥିଲା ବୋଲି ଶ୍ରୀ ସେଠୀ କହିଛନ୍ତି। ଏହା ପରେ ସେ ଏତେ
ଭୟଭୀତ ହୋଇ ଯାଇଛନ୍ତି ଯେ ପୁଲିସ ପାଖକୁ ଆସିବାକୁ ଡରୁଥିଲେ। ମାତ୍ର ଗ୍ରାମବାସୀ ମାନେ ବାଧ୍ୟ କଲା ରୁ ଗତକାଲି ପୁଲିସରେ ଏତଲା ଟିଏ ଦେଇ ଚୁପଚାପ ବସିଥିବା ଦେଖାଯାଇଛି। ଗୋଟିଏ ସପ୍ତାହ ପୂର୍ବରୁ ଦହିସଡ଼ାରେ ଘରେ ପଶି ବାନ୍ଧି ପକାଇ ମାରଣାସ୍ତ୍ର ଦେଖାଇ ୫୦ ଲକ୍ଷ ଟଙ୍କାର ଗହଣା ଡକାଯତିର ମାସକ ପୂର୍ବରେ ତେଣ୍ଟେଇରେ ଘର ଭିତରେ ପଶି ଗୁଳି ଫୁଟେଇ ଖଣ୍ଡାରେ ଆକ୍ରମଣ କରିବା ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମନର ଆତଙ୍କ ସୃଷ୍ଟି କରିଥିବା ବେଳେ ପୁଲିସ ପ୍ରତି ଭରସା ସଂପୂର୍ଣ ଭାବେ ତୁଟିବାରେ ଲାଗିଛି। ଅପରପକ୍ଷରେ ବାଗୁଡ଼ି ମଙ୍ଗଳପୁର ଅଞ୍ଚଳରେ ବାରମ୍ବାର ଡକାଯତି, ଏଟିଏମ୍ ଲୁଟ୍, ବାଗୁଡ଼ି ବଜାର ଉପରେ ଗୁଳି ଚାଳନା ଓ ଜଙ୍ଗଲିଆ ଅଞ୍ଚଳରୁ ଲୁଟକୁ ଦୃଷ୍ଟିରେ ରଖ୍ ସ୍ଥାନୀୟ ଅଞ୍ଚଳରେ ଫାଣ୍ଡି ସ୍ଥାପନ ପାଇଁ ଲୋକଙ୍କ ପକ୍ଷରୁ ଦାବି ହୋଇଛି।
