ଗଜପତି (ଟିକି ଲିମା) : ପାରଲାଖେମୁଣ୍ଡି, ଗଜପତି, 15 ଅଗଷ୍ଟ 2025 – ଗଜପତି ଜିଲ୍ଲାରେ “ଭିଜନ ଅନ୍ ହ୍ୱିଲ୍ସ” ପ୍ରକଳ୍ପର ଶୁଭାରମ୍ଭ ଆଜି ଓଡିଶା ସରକାରଙ୍କ ଇସ୍ପାତ, ଖଣିଜ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା କରାଗଲା। ଉଦ୍ଘାଟନ ଅବସରରେ ଗଜପତି ଜିଲ୍ଲାପାଳ ସ୍ମୃତିଶ୍ରୀମତୀ ମଧୁମିତା, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା, ବିଭାଗୀୟ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀ ନାଗରାଜ, ଡେସାଇ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ପ୍ରଣବ ପ୍ରତାପ ସିଂହ, ପ୍ରୋଗ୍ରାମ ଏକ୍ସିକ୍ୟୁଟିଭ ଅନୁଷ୍କା ସୋନି ଓ ପଦ୍ମାବତୀ, ସେଣ୍ଟର ଫର କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡ଼ି)ର ନିଦେଶକ ଏ. ରାଜୁ ଓ ସମସ୍ତ ସିସିଡ଼ି ଦଳ ଉପସ୍ଥିତ ଥିଲେ।
ଡେସାଇ ଫାଉଣ୍ଡେସନ ଦ୍ୱାରା ପରିକଳ୍ପିତ, SCOR ଦ୍ୱାରା ସହାୟତାପ୍ରାପ୍ତ ଓ ସିସିଡ଼ି ଦ୍ୱାରା କାର୍ଯ୍ୟାନ୍ବିତ “ଭିଜନ ଅନ୍ ହ୍ୱିଲ୍ସ” ପ୍ରକଳ୍ପ ଗଜପତି ଜିଲ୍ଲାର ସବୁଠୁ ଦୂରସ୍ଥ ଗ୍ରାମଗୁଡିକୁ ଆବଶ୍ୟକୀୟ ଚକ୍ଷୁ ସେବା ପହଞ୍ଚାଇବ। ବିଶେଷ ଭାବେ ପ୍ରସ୍ତୁତିତ ଏହି ଯାନରେ ଆଧୁନିକ ଚକ୍ଷୁ ପରୀକ୍ଷା ଯନ୍ତ୍ରପାତି ସହିତ ପ୍ରଶିକ୍ଷିତ ଡାକ୍ତର ଓ ଚକ୍ଷୁ ବିଶେଷଜ୍ଞ (Ophthalmologist) ଉପସ୍ଥିତ ରହିବେ। ପ୍ରକଳ୍ପରେ ଆବଶ୍ୟକୀୟ ରୋଗୀଙ୍କୁ ନିଶୁଳ୍କ ଔଷଧ, ଆଖିର ଡ୍ରପ୍ ଓ ଚଶ୍ମା ବଣ୍ଟନ କରାଯିବ।
ଏହି ଯାନ ପ୍ରତିଦିନ ଗଜପତିର ଦୂରସ୍ଥ ଗ୍ରାମଗୁଡିକୁ ପହଞ୍ଚି, 2026 ମାର୍ଚ୍ଚ ପର୍ଯ୍ୟନ୍ତ 36,000 ଲୋକଙ୍କୁ ଗୁଣସ୍ତରୀୟ ଚକ୍ଷୁ ସେବା ପ୍ରଦାନ କରିବାକୁ ଲକ୍ଷ୍ୟରେ କାର୍ଯ୍ୟ କରିବ। ଗ୍ରାମବାସୀଙ୍କ ଘରଦାରକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ, ଯେଉଁଠାରେ ହସ୍ପିଟାଲ ସୁବିଧା ସହଜରେ ଉପଲବ୍ଧ ନୁହେଁ, ସେଠାରେ ସ୍ୱାସ୍ଥ୍ୟ ସୁବିଧାର ଅଭାବକୁ ପୁରଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ।
