
*ଜେନାପୁର ଡିଗ୍ରୀ କଲେଜରେ ସଂସ୍କୃତ ସପ୍ତାହ ପାଳିତ*
ଯାଜପୁର /ଧର୍ମଶାଳା, (ନିପ୍ର) ସଂସ୍କୃତଭାଷା ସମସ୍ତ ଭାରତୀୟ ଭାଷାର ଜନ୍ମଦାତ୍ରୀ। କେବଳ ଭାରତ ନୁହେଁ ସମଗ୍ର ପୃଥିବୀରେ ଭାଷାମାନଙ୍କ ମଧ୍ୟରେ ଏହା ସର୍ବପ୍ରାଚୀନ, ସର୍ବଜନାଦୃତ ଭାଷା । ସଂସ୍କୃତ ବେଦ, ଉପନିଷଦ, ରାମାୟଣ, ଭାଗବତ, ଗୀତା ଭାରତର ଗୌରବମୟ ପରମ୍ପରା ଐତିହ୍ୟ ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ସୁପ୍ରତିଷ୍ଠିତ କରିପାରିଛି। କେବଳ ଭାରତ ନୁହେଁ, ପାଶ୍ଚାତ୍ୟ ଦେଶରେ ମଧ୍ୟ ସଂସ୍କୃତର ମଧ୍ୟ ଆଦର ରହିଛି। ଅକ୍ସଫୋର୍ଡ଼, ହାବାର୍ଡ ଓ ଜର୍ମାନ ବିଶ୍ବବିଦ୍ୟାଳୟରେ ସଂସ୍କୃତ ଭାଷା ବେଶ୍ ଆଦରଲାଭ କରିଛି। ପାଶ୍ଚାତ୍ୟ ବିଦ୍ବାନଗଣ ସଂସ୍କୃତ ଭାଷାରେ ଗବେଷଣା କରି ଆମର ନମସ୍ୟ ହୋଇଛନ୍ତି | ସଂସ୍କୃତ ଭାଷାର ସୁରକ୍ଷା ମାନବ ସଂସ୍କୃତିର ସୁରକ୍ଷା ବୋଲି ଜେନାପୁର ଡିଗ୍ରୀ କଲେଜ ପରିସରରେ ଆୟୋଜିତ ସଂସ୍କୃତ ସପ୍ତାହ ପାଳନ ଅବସରରେ ଯୋଗଦେଇ ଅଧ୍ୟାପକମାନେ ମତପ୍ରକାଶ କରିଛନ୍ତି। କଲେଜର ପ୍ରଧାନ ଅଧ୍ୟକ୍ଷ ଚିତ୍ତରଞ୍ଜନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ରଥ ଯୋଗଦେଇ ସଂସ୍କୃତ ସପ୍ତାହର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବିଜେପି ଯୁବ ସଙ୍ଗଠକ ମାନସ ରଞ୍ଜନ ମହାନ୍ତି ଯୋଗଦେଇ ଯିଏ ସଂସ୍କୃତ ଜାଣେ ସେ ଭାରତର ଆତ୍ମାକୁ ଜାଣେ I ସଂସ୍କୃତ ଭାଷାକୁ ଭଲ ପାଇବା ଓ ତା’ର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମ ବିଦ୍ୟାଳୟରେ ପାଳନ କରାଯାଉଥିବା ଆନନ୍ଦର ବିଷୟ ବୋଲି କହିଥିଲେ I ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ନନ୍ଦିତା ଦୋରା ଯୋଗଦେଇ ସଂସ୍କୃତ ଭାଷାକୁ ଆଦରକରି ତା’ର ପୁନରୁଦ୍ଧାର କଲେ ଏହି ଦିବସ ପାଳନର ଯଥାର୍ଥ ମୂଲ୍ୟାୟନ ହୋଇପାରିବ ବୋଲି କହିଥିଲେ । ଶେଷରେ ପ୍ରାରମ୍ଭିକ ଆବିଷ୍କାର କୃତିତ୍ବ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ମଣ୍ତିତ ହୋଇପାରିଥିଲା ।