ନୂଆପଡ଼ା ( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ୧୧ ତମ କୃଷି ଗଣନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଦିଲେଶ୍ୱର ଧରୁଆ, ଜିଲ୍ଲା ମୂଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ କେ ପାର୍ଥ ସାରଥୀ ଦୋରା, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। କୃଷି ଗଣନାର ୨ୟ ପର୍ଯ୍ୟାୟ ଫଳାଫଳରୁ ଜଣାପଡିଲା ଯେ ପୂର୍ବ କୃଷି ଗଣନା ବର୍ଷ ୨୦୧୫-୧୬ ଅପେକ୍ଷା ଜିଲ୍ଲାରେ ଧାନ ଫସଲର ୯% ଏବଂ ଅଣଧାନ ଫସଲରେ ୬୯ % ବୃଦ୍ଧି ହୋଇଅଛି। ସେହିପରି ଜିଲ୍ଳାରେ ଯୋତ ଧାରକଙ୍କ ସଂଖ୍ୟାରେ ୧୬ % ବୃଦ୍ଧି ହୋଇ ୧୨୪୧୭୮ ହୋଇଅଛିl ଏଥିସହିତ ଜିଲ୍ଲାରେ ଫସଲର ବାରମ୍ବାରତା ୧୫ % ବୃଦ୍ଧି ହୋଇଅଛି। ଜିଲ୍ଲାରେ କୃଷିର ଏହି ଉନ୍ନତି ପାଇଁ ଜିଲ୍ଲାପାଳ ସମସ୍ତ ସଂମ୍ପୃକ୍ତ ଅଧିକାରୀ ଏବଂ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
